ଯୁବକଙ୍କୁ ତୀର ମାଡ, ପିଠିରେ ପଶିଗଲା ତୀର
ଯୁବକଙ୍କୁ ତୀର ମାଡ, ପିଠିରେ ପଶିଗଲା ତୀର
ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ରାଇତାବାହାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପରଖଣ୍ଡାମ ଗ୍ରାମରେ ଜଣେ ଯୁବକଙ୍କୁ ତୀରମାଡ଼ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ରାହ୍ମଣୀ ନଦୀରେ ମାଛଧରାକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳରେ ତୀରମାଡ଼ ହୋଇଥିବା ଅନୁମାନ କରାଯାଉଛି ।
ଅଭିଯୋଗ ଅନୁଯାୟୀ, ରାଇତାବାହାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପରଖଣ୍ଡାମ ଗ୍ରାମର ବାବୁ ଧିବର ତାଙ୍କ ବଡଭାଇଙ୍କ ଘରକୁ ଯାଉଥିବା ବେଳେ ପଛପଟୁ ଅନ୍ୟ ଜଣେ ଯୁବକ ଗଣ୍ଠି ଧିବର ଧନୁତୀରରେ ଆକ୍ରମଣ କରିଥିଲେ । ଫଳରେ ଧନୁ ତୀରଟି ବାବୁଙ୍କ ପିଠିରେ ପଶିଯାଇଥିବା ବେଳେ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ବାବୁଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ପିଙ୍କି ଧିବର ଏବଂ ସାହିପଡ଼ୋଶୀ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ତୀର ମାରିଥିବା ଗଣ୍ଠି ଧିବର ଘଟଣାସ୍ଥଳରୁ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରିନେଇ ବାରକୋଟ ଥାନା ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗଣ୍ଠିକୁ ଅଟକ ରଖିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଗୁରୁତର ବାବୁଙ୍କୁ ପ୍ରଥମେ ବାରକୋଟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ମାତ୍ର ସର୍ଜରୀ ଡାକ୍ତର ନଥିବାରୁ ତୀର କଢାଯାଇନପାରି ତାଙ୍କୁ ବୁର୍ଲା ପଠାଇ ଦିଆଯାଇଛି ।




admin 