ମେଡିକାଲ ଆବର୍ଜନାକୁ ନେଇ ନୂଆ ସଂକଟ
ମେଡିକାଲ ଆବର୍ଜନାକୁ ନେଇ ନୂଆ ସଂକଟ
admin
May 24, 2020 - 09:49
Updated: May 24, 2020 - 09:49
ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ଯୋଗୁଁ ଦେଶରେ ବାୟୋମେଡିକାଲ ଆବର୍ଜନା ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଏହା ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି । କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଦେଶବ୍ୟାପୀ ହସ୍ପିଟାଲ ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ କୋଭିଡ-୧୯ ବାୟୋମେଡିକାଲ ଆବର୍ଜନା ନଷ୍ଟ କରିବା ଏକ ବଡ ଚ୍ୟାଲେଞ୍ଜ ହୋଇଛି । ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଆଗଧାଡ଼ିର ସଦସ୍ୟମାନେ ପିପିଇ କିଟ, ଗ୍ଲୋଭସ ଏବଂ ଅନ୍ୟ ଉପକରଣର ବ୍ୟବହାର କରୁଛନ୍ତି । ଚିକିତ୍ସା ପରେ ଏ ବାବଦରେ ମେଡିକାଲ ଆବର୍ଜନାକୁ ଏକ ସ୍ୱତନ୍ତ୍ର ପଲିଥିନ ବ୍ୟାଗରେ ସଂଗ୍ରହ କରାଯାଉଛି । ଏହାକୁ ନଷ୍ଟ କରିବା ପାଇଁ ପ୍ଲାଣ୍ଟକୁ ପଠାଯାଉଛି । ତେବେ ବିଭିନ୍ନ ସହରରେ ବାୟୋମେଡିକାଲ ଆବର୍ଜନା ସଠିକ ପରିଚାଳନା ହେଉନଥିବାରୁ ସଙ୍ଗରୋଧ କେନ୍ଦ୍ରରୁ ବାହାରୁଥିବା ମେଡିକାଲ ଆବର୍ଜନା ଅସୁରକ୍ଷିତ ଭାବେ ରଖାଯାଉଥିବାରୁ ଏହା ସଫେଇ କର୍ମୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହସ୍ପିଟାଲଗୁଡ଼ିକୁ ଏ କ୍ଷେତ୍ରରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ କେବଳ ଦିଲ୍ଲୀରେ ଦୈନିକ ୨୫ ଟନ ମେଡିକାଲ ଆବର୍ଜନା, ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପହଞ୍ଚୁନଥିବା ଏବେ ବଡ଼ ସଙ୍କଟର କାରଣ ହେଲାଣି । ଅନେକ ରାଜ୍ୟରେ ହସ୍ପିଟାଲ ଗୁଡ଼ିକରେ ଆବର୍ଜନା ପରିଚାଳନା ନେଇ ଉଚିତ ବ୍ୟବସ୍ଥା ନଥିବାରୁ ଏହା ଦ୍ୱାରା ସଂକ୍ରମଣ ଆଶଙ୍କା ବଢ଼ି ଯାଇଛି । ଏଭଳି ସ୍ଥିତିରେ ମୁମ୍ବାଇ, କୋଲକାତା ଭଳି ସହରରେ ଯୁଦ୍ଧ ସ୍ତରରେ କେତେକ ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ ହୋଇଛି ।