ମାର୍ଚ୍ଚରୁ ମହଙ୍ଗା ହେବ ଏହି ସବୁ ଜିନିଷ ।
ମାର୍ଚ୍ଚରୁ ମହଙ୍ଗା ହେବ ଏହି ସବୁ ଜିନିଷ ।
admin
Feb 25, 2020 - 07:42
Updated: Feb 25, 2020 - 07:42
ନୂଆଦିଲ୍ଲୀ: ଭାରତରେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଛି । ଆଗକୁ ଲୋକମାନେ ଅଧିକ ମାତ୍ରାରେ ଏସି କିଣିବେ । କିନ୍ତୁ ଗ୍ରାହକଙ୍କ ପାଇଁ ଖରାପ ଖବର ହେଲା ଆଗାମୀ ଦିନରେ ଦେଶରେ ଏସି ଦର ୫ ପ୍ରତିଶତ ପାଖାପାଖି ମହଙ୍ଗା ହୋଇଯିବ । କମ୍ପ୍ରେସର ଉପରେ ଆମଦାନି ଶୁଳ୍କ ବୃଦ୍ଧି ସହିତ ଚୀନରେ କରୋନା ଭାଇରସ ବ୍ୟାପିବା କାରଣରୁ ମାଲ ପରିବହନ ଜନିତ ଖର୍ଚ୍ଚ ବଢ଼ିଯିବ । ଏଥିଯୋଗୁ ଦେଶରେ ଏସି ଦର ମହଙ୍ଗା ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନେକ କମ୍ପାନିଙ୍କ କହିବାନୁଯାୟୀ ୨୦୨୦ ବର୍ଷ ଏସି ଶିଳ୍ପ ପାଇଁ ଆହ୍ୱାନପୂର୍ଣ୍ଣ ରହିବ । କରୋନା ଭାଇରସ ବ୍ୟାପିବା କାରଣରୁ ଏସି ନିର୍ମାତାମାନେ କଣ୍ଟ୍ରୋଲର, କମ୍ପ୍ରେସର ସମେତ ଅନ୍ୟାନ୍ୟ ଉପକରଣ ବିମାନ ଯୋଗେ ଭାରତକୁ ଆଣିବେ । ଚୀନ ସମେତ ଥାଇଲାଣ୍ଡ ଏବଂ ମାଲେସିଆରୁ ଏସବୁ ସାମଗ୍ରୀ ଆସୁଛି । ତେଣୁ ବିମାନରେ ଏହିସବୁ ସାମଗ୍ରୀ ଆସିଲେ ପରିବହନ ବାବଦ ଖର୍ଚ୍ଚ ବଢ଼ିଯିବ । ଫଳରେ ଏସି ଦାମ ମହଙ୍ଗା ହୋଇଯିବ । କେତେକ ଏସି ନିର୍ମାତାଙ୍କ କହିବାନୁଯାୟୀ, ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏଭଳି ସଙ୍କଟ ଦେଖାଦେଇଛି । ଏପ୍ରିଲ-ଜୁନ ସମୟ ଅର୍ଥାତ ଖରାଦିନ ଆସିଯାଇଛି । ଭାରତରେ ଏସି କମ୍ପାନି ଗୁଡ଼ିକ ସମ୍ପୂର୍ଣ୍ଣ ବର୍ଷରେ ଯେତିକି ଏସି ବିକିଥାନ୍ତି ତାହାର ପ୍ରାୟ ୪୦ରୁ ୪୫ ପ୍ରତିଶତ ଖରାଦିନେ ବିକ୍ରି କରିଥାନ୍ତି । ଡାଇକିନ ଇଣ୍ଡିଆ ଏମଡି ତଥା ସିଇଓ କେ ଜେ ଜାୱାଙ୍କ କହିବାନୁଯାୟୀ, ଅଧିକାଂଶ କମ୍ପାନି ବହୁଳମାତ୍ରାରେ ଚୀନ ଉପରେ କମ୍ପ୍ରେସର ଓ ଅନ୍ୟାନ୍ୟ ଉପକରଣ ପାଇଁ ନିର୍ଭର କରିଥାନ୍ତି । ତେଣୁ ଖୁବଶୀଘ୍ର ଦର ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ । ଯଦି ପରିସ୍ଥିତିରେ ସୁଧାର ନଆସେ ତାହେଲେ ଦର ଆହୁରି ବଢ଼ିଯିବ ବୋଲି ଶ୍ରୀ ଜାୱା କହିଛନ୍ତି । ଶ୍ରୀ ଜାୱା କହିଛନ୍ତି, ଡାଇକିନ ମାର୍ଚ୍ଚରେ ମୂଲ୍ୟ ବୃଦ୍ଧି କରିସାରିଛି । ଯଦି ପରିସ୍ଥିତିରେ ଉନ୍ନତି ନଆସେ ତାହେଲେ ମୂଲ୍ୟର ପୁଣି ସମୀକ୍ଷା କରାଯିବା ଯୋଜନା ରହିଛି ।
ଉଲ୍ଲେଖଯୋଗ୍ୟ, ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଫ୍ରିଜରେଟର ଏବଂ ଏସିର କମ୍ପ୍ରେସର ଉପରେ ମୌଳିକ ସୀମା ଶୁଳ୍କକୁ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଭାରତରେ ରୁମ ଏସିର ବଜାର ଆକାର ବାର୍ଷିକ ପ୍ରାୟ ୪.୫ ନିୟୁତ ୟୁନିଟ ରହିଥିବା ଅନୁମାନ କରାଯାଉଛି । ଏହି ବଜାରରେ ପ୍ରାୟ ୨୦ଟି କମ୍ପାନି ସେମାନଙ୍କ ଉତ୍ପାଦ ବିକ୍ରି କରୁଛନ୍ତି । କେବଳ ଏସି ନୁହେଁ, ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଫ୍ରିଜ ଏବଂ ଟିଭିର ଦାମ ମଧ୍ୟ ବଢ଼ିଯିବା ଆଶଙ୍କା ରହିଛି । ମାର୍ଚ୍ଚରୁ ଟିଭି ଦର ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।