ମାମଲା ବନ୍ଦ କରିବାକୁ ରାହୁଲଙ୍କ ନିବେଦନ
ମାମଲା ବନ୍ଦ କରିବାକୁ ରାହୁଲଙ୍କ ନିବେଦନ
admin
Apr 30, 2019 - 12:25
Updated: Apr 30, 2019 - 12:25
ନୂଆଦିଲ୍ଲୀ : ନିଜ ବିରୋଧରେ ଥିବା ଅଦାଲତ ଅବମାନନା ମାମଲା ବନ୍ଦ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ବ୍ୟକ୍ତିଗତ ତଥା ରାଜନୈତିକ ଫାଇଦା ନିମନ୍ତେ ବିଜେପି ଏକ ରାଜନୈତିକ ବିବାଦ ମଧ୍ୟକୁ କୋର୍ଟଙ୍କୁ ଟାଣିବାକୁ ଉଦ୍ୟମ କରୁଛି ବୋଲି ସେ ଦର୍ଶାଇଛନ୍ତି । ନିର୍ବାଚନ ପ୍ରଚାର ବେଳେ ଦିଆଯାଇଥିବା ଏକ ମନ୍ତବ୍ୟକୁ ନେଇ ଅଦାଲତ ଅବମାନନା ମାମଲା କରିଥିବାରୁ ବିଜେପି ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ କୋର୍ଟ ଜୋରିମାନା କରିବା ଉଚିତ ବୋଲି ସେ ଯୁକ୍ତି ବାଢିଛନ୍ତି ।
ରାଫେଲ ସମୀକ୍ଷା ଆବେଦନ ଉପରେ ଶୁଣାଣି ବେଳେ ପ୍ରଘଟ ପ୍ରତିରକ୍ଷା ଦସ୍ତାବିଜକୁ ବିଚାରକୁ ନିଆଯିବ ବୋଲି ଏପ୍ରିଲ ୧୦ରେ ସୁପ୍ରିମକୋର୍ଟ ରାୟ ଦେଇଥିଲା । ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ରାହୁଲ କହିଥିଲେ ଏହି ରାୟ ଦ୍ୱାରା ଚୌକିଦାର ଚୋର ହୈ ବୋଲି ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି । ତାଙ୍କର ଏହି ମନ୍ତବ୍ୟ ଉପରେ ଆପତି ଉଠାଇ ଏହା ଅଦାଲତଙ୍କ ଅବମାନନା ଦର୍ଶାଇ ମିନାକ୍ଷୀ ଆବେଦନ କରିଥିଲେ । ଗତ ସପ୍ତାହରେ ମଧ୍ୟ ରାହୁଲ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ ପୂର୍ବକ ଏକ ସତ୍ୟପାଠ କୋର୍ଟରେ ଦାଖଲ କରିଥିଲେ । ମୋଦୀଙ୍କୁ ସମାଲୋଚନା କରିବା ଲାଗି ଉଦ୍ଦିଷ୍ଟ ଏକ ସ୍ଲୋଗାନ୍ ଦର୍ଶାଇ ସେ ଉକ୍ତ ମନ୍ତବ୍ୟ ଦେଇଛନ୍ତି । କୋର୍ଟଙ୍କ ଅବମାନନା କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ; ବରଂ ତାହା ପ୍ରଚାର ଉନ୍ମାଦନା ମଧ୍ୟରେ ଦିଆଯାଇଥିବା ଏକ ମନ୍ତବ୍ୟ ବୋଲି ସେ ଦର୍ଶାଇଥିଲେ ।