ମାଡ଼ି ବସିଛନ୍ତି ସରକାରୀ କ୍ୱାର୍ଟର୍ସ, କାମ ଦେଉନି ବାଚସ୍ପତିଙ୍କ ତାଗିଦ

ମାଡ଼ି ବସିଛନ୍ତି ସରକାରୀ କ୍ୱାର୍ଟର୍ସ, କାମ ଦେଉନି ବାଚସ୍ପତିଙ୍କ ତାଗିଦ

ମାଡ଼ି ବସିଛନ୍ତି ସରକାରୀ କ୍ୱାର୍ଟର୍ସ, କାମ ଦେଉନି ବାଚସ୍ପତିଙ୍କ ତାଗିଦ
ଭୁବନେଶ୍ୱର - ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଦଖଲରେ ରହିଛି ସରକାରୀ କ୍ୱାର୍ଟର୍ସ । ବିଜେପିର ପୂର୍ବତନ ବିଧାୟକ ରବିନାରାୟଣ ନାଏକ ମଧ୍ୟ କ୍ୱାର୍ଟର୍ସ ମାଡ଼ି ବସିଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଗତ ସାଢେ଼ ୫ ବର୍ଷ ହେବ ସରକାରୀ ଘର ବାତିଲ ସତ୍ତ୍ୱେ ଏଯାଏଁ ଛାଡ଼ି ନାହାନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ବାତିଲ ସତ୍ତ୍ୱେ ୫ ବର୍ଷ ହେବ ବିଧାୟକ କ୍ୱାର୍ଟସ ଛାଡ଼ୁନାହାନ୍ତି, ଦଖଲରେ ରଖିଛନ୍ତି । ବେଆଇନ ଭାବେ ଏମିତି ଘର ମାଡ଼ି ବସିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବିଧାୟକ । ସେମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚରମବାଣୀ ଶୁଣାଇଥିଲେ ମଧ୍ୟ କିଛି ପ୍ରଭାବ ପଡ଼ିନି । ଏବେ ବି ବହୁ ସରକାରୀ କ୍ୱାର୍ଟର୍ସ ବେଆଇନ ଭାବେ କବଜାରେ ରହିଛି । ଏପରିକି କ୍ୱାର୍ଟର୍ସ ବାବଦ ସରକାରୀ ପ୍ରାପ୍ୟ ମଧ୍ୟ ସେମାନଙ୍କ ଉପରେ ବର୍ଷ ବର୍ଷ ଧରି ଗଡ଼ୁଛି । ପଦ ଗଲାଣି । ଆଉ ସରକାରୀ କ୍ୱାର୍ଟର୍ସ ନିଜ ଦଖଲରେ ରଖିବାର ଅଧିକାର ନାହିଁ । ଏହା ସମ୍ପୂର୍ଣ୍ଣ ବେଆଇନ । ତୁରନ୍ତ ଆଇନକୁ ସମ୍ମାନ ଜଣାଇ କବଜାରେ ରଖିଥିବା ସରକାରୀ କ୍ୱାର୍ଟର୍ସ ଛାଡ଼ । ନଚେତ ପାଣି ଓ ବିଜୁଳି ସଂଯୋଗ ବିଚ୍ଛିନ୍ନ କରି ଦିଆଯିବ । ସରକାରୀ ଘର ଛାଡ଼ି ନଥିବା ୨୬ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ଏମିତି ନାଲିଆଖି ଦେଖାଇଥିଲେ ବାଚସ୍ପତି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାଚସ୍ପତି ଏମିତି ଚରମବାଣୀ ଶୁଣାଇଥିଲେ ବୋଲି ସୂଚନା ଅଧିକାର ଆଇନର ତଥ୍ୟ କହୁଛି । ନଭେମ୍ବର ଶେଷ ସୁଦ୍ଧା ୧୬ଟି କ୍ୱାର୍ଟର୍ସ ବେଆଇନ ଭାବେ ଦଖଲରେ ଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି । ଭୋଟ ଫଳ ପ୍ରକାଶନକୁ ଇତିମଧ୍ୟରେ ୮ ମାସ ପୂରିଲାଣି । ମାତ୍ର ପୁରୁଣା ବିଧାୟକମାନେ ଦଖଲରେ ରଖିଥିବା ଘର ଖାଲି କରୁନାହାନ୍ତି । ବିଜେପି ବିଧାୟକରୁ ସାଂସଦ ହୋଇଥିବା ବସନ୍ତ ପଣ୍ଡାଙ୍କ କ୍ୱାର୍ଟର୍ସକୁ ଗତ ଜୁନ ମାସରୁ ବାତିଲ କରାଗଲାଣି । ମାତ୍ର ଏ ଯାଏ ସେ ଘର ଖାଲି କରିନାହାନ୍ତି । ବିଜେଡିା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରମେଶ ମାଝୀଙ୍କ କ୍ୱାର୍ଟର୍ସ ଜୁନ ମାସରୁ ବାତିଲ ସତ୍ତ୍ୱେ ସେ ଖାଲି କରିନାହାନ୍ତି । ବିଜେଡିର ପୂର୍ବତନ ବିଧାୟକ ତଥା ସାଂସଦ ମହେଶ ସାହୁ, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓ, ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ ତାଙ୍କ କ୍ୱାର୍ଟର୍ସ ଛାଡ଼ି ନାହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶାସକ ଦଳର ପୂର୍ବତନ ବିଧାୟକ ଯୁଗୋଳ କିଶୋର ପଟ୍ଟନାୟକ, କିଶୋର ଚନ୍ଦ୍ର ତରାଇ, ନନ୍ଦିନୀ ଦେବୀ, ପୂର୍ବତନ ଉପବାଚସ୍ପ୍ତି ସାନନ୍ଦ ମାର୍ଣ୍ଡି ପ୍ରମୁଖ ଏଯାଏ ମଧ୍ୟ ସରକାରୀ କ୍ୱାର୍ଟର୍ସ ମୋହ ଭାଙ୍ଗି ନାହାନ୍ତି । ପୁରୁଣା ବିଧାୟକ ଘର ଛାଡ଼ୁନାହାନ୍ତି, ନୂଆ କିଛି ବିଧାୟକ ସରକାରୀ କ୍ୱାର୍ଟର୍ସ ପାଇନାହାନ୍ତି । ଏହାକୁ ନେଇ ଚାଲିଛି ଭିଡ଼ାଓଟରା । ବହୁ ପୂର୍ବତନ ମନ୍ତ୍ରୀଙ୍କ କବଜାରେ ଏବେ ସରକାରୀ କ୍ୱାର୍ଟର୍ସ ଥିବା ବେଳେ ମନ୍ତ୍ରୀରୁ ବିଧାୟକ ହୋଇଥିବା ବ୍ୟକ୍ତି ମଧ୍ୟ ମନ୍ତ୍ରୀ କ୍ୱାର୍ଟର୍ସ ମାଡ଼ି ବସିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ବାରମ୍ବାର ନୋଟିସ ସତ୍ତ୍ୱେ ଘର ସରକାରଙ୍କ ଦଖଲକୁ ଆସିପାରୁନି । ସେମାନଙ୍କ ଉପରେ ପ୍ରାୟ ୧୩ ଲକ୍ଷ ଟଙ୍କାର ବକେୟା ମଧ୍ୟ ଗଡ଼ୁଛି । ଏ ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନେ ନଭେମ୍ବର ପରେ କ୍ୱାର୍ଟର୍ସ ଛାଡ଼ିଛନ୍ତି ନା ନାହିଁ ସେ ସମ୍ପର୍କରେ ଜିଏ ବିଭାଗ ସ୍ପଷ୍ଟ କରୁନାହିଁ ।