ମହିଳା ବିଜେଡି କାର୍ୟ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ
ମହିଳା ବିଜେଡି କାର୍ୟ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ
ମହିଳା ବିଜେଡି କାର୍ୟ୍ୟକାରିଣୀ ତାଲିକାରେ ମୃତ ନେତ୍ରୀବ୍ରହ୍ମପୁର: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜ ମହିଳା ସଂଗଠନର ପୁର୍ନଗଠନ କରିଛି । ବୁଧବାର ବିଜେଡି ମହିଳା ସଂଗଠନର ନୂତନ କର୍ମକର୍ତ୍ତାଙ୍କ ନାମ ପ୍ରକାଶ ପାଇଛି । ବିଜେଡିର ଏହି ରାଜ୍ୟ କାର୍ୟ୍ୟକାରିଣୀ ତାଲିକାରେ ଆତ୍ମହତ୍ୟା କରିଥିବା ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ନାମ ସାମିଲ ରହିଛି । ମିନାକ୍ଷୀଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ନାଁ ମହିଳା ବିଜେଡି ତାଲିକାରେ ରହିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ଏକ ପ୍ରେସ୍ ବିବୃତ୍ତିରେ ମୃତ ନେତ୍ରୀଙ୍କ ନାମ ରହିବାକୁ ହାସ୍ୟାସ୍ପଦ କହିଛନ୍ତି ।
ଅନ୍ୟପଟେ ବିଜେଡିର ଜୋନ୍ ସଭାନେତ୍ରୀ ମମତା ବିଷୋୟୀ ପ୍ରିଣ୍ଟିଙ୍ଗ୍ ତ୍ରୁଟି ଯୋଗୁଁ ଏପରି ହୋଇଥିବା ପ୍ରତିକ୍ରିୟା ଦେଇଛନ୍ତି ।
ବୁଧବାର ବିଜେଡିର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟାଙ୍କ ସମେତ ଜିଲ୍ଲା ସଭାନେତ୍ରୀ, ଜୋନ୍ ସଭାନେତ୍ରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ୨୦୨୦ ଫେବୃୟାରୀ ମାସ ୧୨ ତାରିଖରେ ପ୍ରାଣ ହରାଇଥିବା ବ୍ରହ୍ମପୁରର ମହିଳା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ନାମ ପୁଣିଥରେ ରାଜ୍ୟ କାର୍ୟ୍ୟକାରିଣୀ ତାଲିକାରେ ରହିଥିବା ଦେଖିବାକୁ ମିଳିଥିଲା ।
ଉଲ୍ଲେଖଯୋଗ୍ୟ, ଦୁଇ ବର୍ଷ ପୂର୍ବେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟା ମିନାକ୍ଷୀ ମିଶ୍ର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ। ଏଥିରେ ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡି ଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ । ତାଙ୍କର ମୃତ୍ୟୁକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିବା ବେଳେ ହଠାତ୍ କାର୍ୟ୍ୟକାରିଣୀ ସଦ୍ୟସ୍ୟା ଭାବେ ତାଙ୍କ ନାମ ରହିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଏହାକୁ ହାସ୍ୟାସ୍ପଦ କିନ୍ତୁ ସାଂଘାତିକ ବୋଲି କୁହାଯାଇଛି ।