ମହାରାଷ୍ଟ୍ରରେ ପୁଣି ଏନଡ଼ିଏ
ମହାରାଷ୍ଟ୍ରରେ ପୁଣି ଏନଡ଼ିଏ
admin
Oct 25, 2019 - 09:05
Updated: Oct 25, 2019 - 09:05
ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ସରକାର ଗଢ଼ିବାକୁ ଯାଉଛି ଏନଡ଼ିଏ । ନିର୍ବାଚନରେ ବିଜେପି ଓ ଶିବସେନା ଆଶାନୁରୂପକ ଆସନ ପାଇନଥିଲେ ହେଁ ସରକାର ଗଢ଼ିବାକୁ ଆବଶ୍ୟକୀୟ ଆସନ ହାସଲ କରିବାରେ ସମର୍ଥ ହୋଇଛନ୍ତି । ଫଳରେ ପୁଣିଥରେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି । ଅପରପକ୍ଷରେ କଂଗ୍ରେସ ଓ ଏନସିପି ମେଂଟ ଆଶାଠାରୁ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଅଧିକାଂଶ ଏକଜିଟ ପୋଲରେ ବିଜେପି ଏକପାଖିଆ ବିଜୟୀ ହେବା ସହ କଂଗ୍ରେସ ଓ ଏନସିପି ମେଂଟ ଧୂଳି ଚାଟିବେ ବୋଲି ଆକଳିତ ହୋଇଥିଲା । କିନ୍ତୁ ଦୁଇ ଦଳ ଏଭଳି ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି ।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ଅଙ୍କ ୧୪୫ ହୋଇଥିବାବେଳେ ବିଜେପି ଓ ଶିବସେନା ମେଂଟ ୧୫୯ ଆସନ ହାସଲ କରିବାରେ ସମର୍ଥ ହୋଇଛନ୍ତି । ଏଥିମଧ୍ୟରୁ ବିଜେପିକୁ ୧୦୩ ଆସନ ମିଳିଥିବାବେଳେ ଶିବସେନାକୁ ୫୬ ଆସନ ମିଳିଛି । ତେବେ କଂଗ୍ରେସ ୪୬ ଆସନରେ ବିଜୟୀ ହୋଇଥିବାବେଳେ ଏନସିପି ୫୪ ଆସନରେ ବାଜିମାତ କରିଛି । ସ୍ୱାଧୀନ ଭାବେ ୧୧ ଜଣ ଜିତିଥିବାବେଳେ ଅବଶିଷ୍ଟ ଆସନ ଛୋଟ ଦଳଗୁଡ଼ିକ ହାତେଇ ନେଇଛନ୍ତି । ତେବେ ଗତ ନିର୍ବାଚନ ତୁଳନାରେ ବିଜେପି ଓ ଶିବସେନା ପ୍ରଦର୍ଶନ ଖାସ ନଥିବାବେଳେ କଂଗ୍ରେସ ଓ ଏନସିପି କିନ୍ତୁ ଚମକôାର ପ୍ରଦର୍ଶନ କରିଛନ୍ତି ବୋଲି ରାଜନୀତିକ ବିଶ୍ଲେଷକମାନେ ମତପୋଷଣ କରିଛନ୍ତି । ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୧୪୨ ଆସନ ପାଇଥିବାବେଳେ ଶିବସେନା ୭୫ ଆସନରେ ବାଜିମାତ କରିଥିଲା । ସେହିପରି କଂଗ୍ରେସ ଓ ଏନସିପିକୁ ଯଥାକ୍ରମେ ୨୭ ଓ ୨୯ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା ।
ଫଡ଼ନାଭିସ ସରକାରଙ୍କ ୭ ମନ୍ତ୍ରୀ, ଉପବାଚସ୍ପତି ଓ କେତେକ ଟାଣୁଆ ବିଜେପି ନେତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବିଜେପି ପୂର୍ବଭଳି ଅଧିକ ଆସନ ହାସଲ କରିନଥିବାରୁ ଶିବସେନା ଅଧିକ ପଦବୀ ଓ କ୍ଷମତା ପାଇଁ ଦାବି କରିବ ବୋଲି ଚର୍ଚ୍ଚା ଜୋରଧରିଛି । ଏନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତିଯେ, ଏବେ ୫୦:୫୦ ଫର୍ମୂଲାରେ କ୍ଷମତା ଆବଂଟନର ସମୟ ଆସିଯାଇଛି । ଏମିତିକି ସେ ନିଜ ଦଳର ଅଭିବୃଦ୍ଧି ଚାହୁଁଛନ୍ତି । ନିର୍ବାଚନରେ ତାଙ୍କ ଦଳ ବିଜେପି ଠାରୁ କମ ଆସନରେ ଲଢ଼ିଥିଲେ ବି ସବୁବେଳେ ଏମିତି ହୋଇପାରିବ ନାହିଁ ବୋଲି ଠାକରେ ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଯାଇଛି । ଅର୍ଥାତ୍ ବିଜେପିକୁ ୫ ବର୍ଷ ପାଇଁ ସରକାର ଗଢ଼ିବାର ସୁଯୋଗ ଦେବାକୁ ଶିବସେନା ଅମଙ୍ଗ ଥିବା କୁହାଯାଉଛି । ତେବେ କେନ୍ଦ୍ରୀୟ ବିଜେପି ନେତାମାନେ ଏହାକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ ।
ଅପରପକ୍ଷରେ ସେ ହିଁ ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେବୋଲି ଦେବେନ୍ଦ୍ର ଫଡ଼ନାଭିସ ସଂକେତ ଦେଇଛନ୍ତି । ମହାରାଷ୍ଟ୍ର ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ସରକାର ଓ ଜଣେ ମୁଖ୍ୟମନ୍ତ୍ରୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ବୋଲି ଫଡ଼ନାଭିସ ପ୍ରକାଶ କରିଛନ୍ତି । ଏମିତିକି ୧୫ ଜଣ ସ୍ୱାଧୀନ ଓ ବିଦ୍ରୋହୀ ବିଧାୟକ ବି ତାଙ୍କ ସହ ଯୋଗସୂତ୍ରରେ ରହିଛନ୍ତି ବୋଲି ସେ କହିଛନ୍ତି ।