ମହାମାରୀ ସମୟରେ ପଦାକୁ ଆସିଲା ଡାକ୍ତରଙ୍କ ଦୁଃଖ, ଦରମା ନ ମିଳିବାରୁ ଅଟୋ ଚଳାଇଲେ
ମହାମାରୀ ସମୟରେ ପଦାକୁ ଆସିଲା ଡାକ୍ତରଙ୍କ ଦୁଃଖ, ଦରମା ନ ମିଳିବାରୁ ଅଟୋ ଚଳାଇଲେ
admin
Sep 8, 2020 - 06:47
Updated: Sep 8, 2020 - 06:47
ବେଙ୍ଗାଲୁରୁ: କରୋନା ମହାମାରୀ ସମୟରେ କର୍ଣ୍ଣାଟକର ଜଣେ ଡାକ୍ତରଙ୍କ ସଂଘର୍ଷ କାହାଣୀ ପଦାକୁ ଆସିଛି । ଏହି ଡାକ୍ତରଙ୍କ ନାମ ଡ.ରବିନ୍ଦ୍ର ନାଥ ଏମଏଚ । ବୟସ ୫୩ ବର୍ଷ । ଜିଲ୍ଲା ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ଅଧିକାରୀ ଡ.ରବୀନ୍ଦ୍ର ନାଥ ଏବେ ପାଲଟିଛନ୍ତି ଜଣେ ଅଟୋ ଡ୍ରାଇଭର । ୧୫ ମାସ ଧରି ଦରମା ନ ପାଇବାରୁ ସେ ଶେଷରେ ଅଟୋରିକ୍ସା ଚଳାଇ ପେଟ ପୋଷୁଛନ୍ତି । ଡ.ରବିନ୍ଦ୍ରନାଥ ତାଙ୍କର ଏହି ଦୁର୍ଦ୍ଧଶା ପାଇଁ ଆଇଏଏସ ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଜଣେ ଆଇଏଏସ ଅଧିକାରୀଙ୍କୁ ୨୦୧୮ରେ ସାହାଯ୍ୟ କରିବାକୁ ମନା କରିବାରୁ ତାଙ୍କର ଏହି ଦୁର୍ଦ୍ଧଶା ଆରମ୍ଭ ହୋଇଛି । ପରେ ଜଣେ ଜିଲ୍ଲା ପଞ୍ଚାୟତ ସିଇଓ ତାଙ୍କୁ ଲଗାତର ନିର୍ଯାତିତ କରିଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବାରେ ଏକ ଯାନ୍ତ୍ରିକ ତ୍ରୁଟି ପାଇଁ ସେମାନେ ରବୀନ୍ଦ୍ର ନାଥଙ୍କୁ ଦାୟୀ କରିଥିଲେ । ଏହା ତାଙ୍କର ଭୁଲ ନଥିଲା ବୋଲି କହିବା ସତ୍ତ୍ୱେ ତାଙ୍କୁ ୬ ବର୍ଷ କାଳ ପାଇଁ ନିଲମ୍ବିତ କରାଯାଇଥିଲା । ୪ ଦିନ ପରେ ଡ.ରବୀନ୍ଦ୍ର ନାଥ କେଏଟି (କର୍ଣ୍ଣାଟକ ପ୍ରଶାସନିକ ଟି୍ରବୁ୍ୟନାଲ) ରେ ଏ ନେଇ ଆବେଦନ କରିଥିଲେ । କେଏଟି ସରକାରଙ୍କ ପୂର୍ବ ନିଦେ୍ର୍ଧଶକ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଏବଂ ପୁନର୍ବାର ଡ.ରବୀନ୍ଦ୍ରନାଥଙ୍କୁ ଅବସ୍ଥାପିତ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏହା ପରେ ଡ.ରବୀନ୍ଦ୍ରନାଥଙ୍କୁ କଲବର୍ଗି ଜିଲ୍ଲାର ସେଦାମ ଜେନେରାଲ ହସ୍ପିଟାଲରେ ଜଣେ ବରିଷ୍ଠ ମେଡିକାଲ ଅଫିସର ଭାବେ ନିଯୁକ୍ତି ମିଳିଥିଲା । ପୂର୍ବରୁ ସେ ୧୭ ବର୍ଷ ଗ୍ରାମାଞ୍ଚଳରେ ସେବା ଯୋଗାଇଥିଲେ । ଏଥିପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଯେଉଁ ପଦ ମିଳିଥିଲା ତାହା ଏକ ତଳ ପୋଷ୍ଟ ଥିଲା । ସେ କିନ୍ତୁ ଡୁ୍ୟଟିରେ ଯୋଗ ଦେଲେ ଏବଂ ମାମଲା ଲଢ଼ିବା ପାଇଁ ଏହାର ପରଦିନ ଛୁଟି ନେଇଥିଲେ । ତାଙ୍କୁ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ନିଯୁକ୍ତି ଦେବା ପାଇଁ ସେ କେଏଟିରେ ଅନୁରୋଧ କରିଥିଲେ । କେଏଟିରେ ତାଙ୍କର ବିଜୟ ହେଲା । କିନ୍ତୁ କେଏଟି ରାୟକୁ ପ୍ରଶାସନ ମାନିନାହିଁ । ଏ ପର୍ଯ୍ୟନ୍ତ ତାଙ୍କୁ ନିଯୁକ୍ତି ମିଳିନାହିଁ । ବଦଳି ପାଇଁ ଲେଖିବାରୁ ଉପରିସ୍ଥ ଅଧିକାରୀମାନେ କହୁଛନ୍ତି କୋଭିଡ-୧୯ ପାଇଁ ସେଦାମରେ ତାଙ୍କର ଉପସ୍ଥିତି ଜରୁରୀ । କିନ୍ତୁ କେଏଟି ଡ.ରବୀନ୍ଦ୍ରନାଥଙ୍କ ନିଯୁକ୍ତି ପ୍ରସଙ୍ଗରେ ନିଦେ୍ର୍ଧଶ ଦେବା ସମୟରେ କୌଣସି ମହାମାରୀ ନଥିଲା । ଏହି ସମୟରେ ସେଦାମ ଜେନେରାଲ ହସ୍ପିଟାଲରୁ ଅନେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବଦଳି ହେଉଛି କିନ୍ତୁ ତାଙ୍କ ପାଇଁନିୟମ ଅଲଗା । ଉକ୍ତ ମାମଲାରେ ସେ ଏକ ଅବମାନନା ପିଟିସନ ଦାଖଲ କରିଛନ୍ତି ଏବଂ ଆସନ୍ତା ୧୧ରେ ଏହାର ଶୁଣାଣି ହେବ । ଡ.ରବୀନ୍ଦ୍ରନାଥ କ୍ଲିନିକ ଖୋଲି ପାରିଥାନ୍ତେ କିନ୍ତୁ ଅଟୋ କାହିଁକି ଚଳାଇଲେ ବୋଲି ପଚାରିବାରୁ ସେ କହିଛନ୍ତି, ଲାଇସେନ୍ସ ପାଇଁ ତାଙ୍କୁ ସେହି ଅଧିକାରୀମାନଙ୍କ ନିକଟକୁ ଯିବାକୁ ପଡ଼ିଥାନ୍ତା । ସେଥିପାଇଁ ସେ ଲୋନ କରି ଅଟୋରିକ୍ସା କିଣିଛନ୍ତି ଏବଂ ଅଟୋରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ।