ମହାନଦୀ ମଝିରେ ଫସି ରହିଛନ୍ତି ଦୁଇ ହାତୀ
ମହାନଦୀ ମଝିରେ ଫସି ରହିଛନ୍ତି ଦୁଇ ହାତୀ
ବାଙ୍କି: ବାଙ୍କୀ ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ହାତୀ ଉପଦ୍ରବ କରୁଥିବା ୨ ହାତୀ ମହାନଦୀ ପାର ହୋଇ ଆଠଗଡ଼ ସୁକାଶନ ଜଙ୍ଗଲକୁ ଯାଇଥିଲେ। ଆଜି ସେମାନେ ସୁକାଶନ ଜଙ୍ଗଲରୁ ଡମପଡ଼ା ଚନ୍ଦକା ଅଭୟାରଣ୍ୟକୁ ଫେରୁଥିଲେ।
ମାତ୍ର ଭଗିପୁର ନିକଟସ୍ଥ ମହାନଦୀ ମଝିରେ ସେମାନେ ଫସି ରହିଥିବା ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ବନ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ହାତୀଙ୍କୁ ଦେଖିବାକୁ କୂଳରେ ଅସମ୍ଭବ ଭିଡ଼ ହୋଇଛି।
ହାତୀଦ୍ୱୟଙ୍କୁ କୂଳକୁ ଆଣିବାକୁ ବନ ବିଭାଗ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ମାତ୍ର ସେମାନେ କୂଳମୁହାଁ ହେଉଥିବା ବେଳେ ଲୋକ ଭିଡ଼ ଦେଖି ଭୟଭୀତ ହୋଇ ପୁଣି ଥରେ ପାଣି ଭିତରକୁ ପଳାଇ ଯାଉଛନ୍ତି। ଅପରପକ୍ଷେ, ଲୋକ ଭିଡ଼କୁ କମାବା ପାଇଁ ପୁଲିସ୍ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବନ ବିଭାଗ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ ତାରିଖରେ କଟକ ମୁଣ୍ଡଳି ବ୍ୟାରେଜର ମହାନଦୀରେ ଫସି ରହିଥିବା ଗୋଠ ଛଡ଼ା ହାତୀକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ। ହାତୀକୁ ଉଦ୍ଧାର କରିବାକୁ ଯାଇ ମୁଣ୍ଡଳିରେ ଛାତିଥରା ବୋଟ୍ ଟ୍ରାଜେଡି ଘଟଣା ଘଟି ଯାଇଥିବା ବେଳେ ଏଥିରେ ଓଟିଭିର ଯୁବ ସାମ୍ୱାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ ଯବାନ ସୀତାରାମଙ୍କ ମୃତ୍ୟୁ ହୋଇଥିଲା। । ଏଥିପାଇଁ ସିଧାସଳଖ ବନବିଭାଗର ପାରିବା ପଣିଆ ଓ ଦାୟିତ୍ୱହୀନତାକୁ ଦାୟୀ କରାଯାଇଥିଲା ।




admin 