ନୂପୁରଙ୍କ ସମର୍ଥନରେ ବାହାରିଲେ ଅଭିନେତ୍ରୀ କଙ୍ଗନା

ନୂପୁରଙ୍କ ସମର୍ଥନରେ ବାହାରିଲେ ଅଭିନେତ୍ରୀ କଙ୍ଗନା

ନୂପୁରଙ୍କ ସମର୍ଥନରେ ବାହାରିଲେ ଅଭିନେତ୍ରୀ କଙ୍ଗନା

ମୁମ୍ବାଇ: ପ୍ରଫେଟଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ  ଆସିଥିବା ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସମର୍ଥନ ଜଣାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତ। ସେ ନୂପୁର ଶର୍ମାଙ୍କୁ ମିଳିଥିବା ହତ୍ୟା ଧମକୁ ନିନ୍ଦା କରିଛନ୍ତି। ଏଥିସହ ନିଜ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟରେ ସେ କହିଛନ୍ତି, ‘ନୂପୁରଙ୍କୁ ତାଙ୍କ ନିଜସ୍ୱ ମତାମତ ରଖିବା ଅଧିକାର ଅଛି। ତାଙ୍କୁ ହତ୍ୟା ଧମକ ମିଳୁଛି। ଯେତେବେଳେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରାଯାଏ, ସେତେବେଳେ ଆମେ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥାଉ। ଏହା ସମସ୍ତଙ୍କ ପାଇଁ ହେବା ଉଚିତ୍। ନିଜକୁ ଡନ୍ ବୋଲି ଭାବିବାକୁ ଚେଷ୍ଟା କର ନାହିଁ। ଏହା ଆଫଗାନିସ୍ତାନ ନୁହେଁ। ମୁଁ ସେମାନଙ୍କୁ ସ୍ମରଣ କରାଇଦେବି ଯେଉଁମାନେ ଭୁଲିଯାଇଛନ୍ତି ଯେ ଆମର ଏକ ଭଲ ସରକାର ଅଛି, ଯାହାକୁ ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ନିର୍ବାଚିତ କରାଯାଇଛି।

କଙ୍ଗନା ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି ସେମାନେ ଚାହାନ୍ତି ତେବେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନୂପୁର ଶର୍ମା ତାଙ୍କୁ ଧମକ ମିଳୁଛି ଏବଂ ତାଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ହଇରାଣ କରାଯାଉଛି ବୋଲି ଅଭିଯୋଗ କରିବାର କିଛି ଘଣ୍ଟା ପରେ ଅଭିନେତ୍ରୀ କଙ୍ଗନାଙ୍କ ଏହି ବିବୃତ୍ତି ଆସିଛି।

ସେପଟେ ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିବା ପରେ ବିଜେପି ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଏହି ପ୍ରକାରର ଟିପ୍ପଣୀ ଦେବା ବିଜେପିର ମୂଳ ବିଚାର ବିରୋଧୀ। ତେବେ ବିବାଦ ବଢ଼ିବା ପରେ ଏହି ପୂରା ମାମଲାରେ ନୂପୁର କ୍ଷମା ମଧ୍ୟ ମାଗି ସାରିଛନ୍ତି। କାହାର ଧାର୍ମିକ ଭାବନାକୁ ଆଘାତ ଦେବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।