ମଶାଣି ସଫା କଲେ ତଲସରା ବିଧାୟକ

ମଶାଣି ସଫା କଲେ ତଲସରା ବିଧାୟକ

ମଶାଣି ସଫା କଲେ ତଲସରା ବିଧାୟକ
ସୁନ୍ଦରଗଡ଼: ମଶାଣିରେ ବିଧାୟକ । ହାତରେ କୋଦାଳ, ସଙ୍ଗରେ କିଛି ଲୋକ । ଏହା ଶୁଣିଲା ପରେ ଆପଣ ନିଶ୍ଚିତ ଭାବି ନେଇଥିବେ ଯେ, କେହି ବିଶିଷ୍ଟ ବ୍ୟକ୍ତି ଅଥବା ଆତ୍ମୀୟ ସ୍ୱଜନ କି ପରିଚିତଙ୍କ ମୃତଦେହର ଦାହ ସଂସ୍କାର କରିବା ପାଇଁ ମଶାଣିରେ ପହଞ୍ଚି ଯାଇଛନ୍ତି ବିଧାୟକ । କିନ୍ତୁ ସେମିତି କିଛି ନଥିଲା । କିଛି ସାଥୀଙ୍କ ସହ ମଶାଣିରୁ ମଇଳା ଉଠାଇବାକୁ ଯାଇଥିଲେ ବିଧାୟକ । ନିଜ ସରଳ ଚେହେରା ଓ ନିରବରେ କାମ କରିଯିବାର ଶୈଳୀକୁ ନେଇ ଲୋକଙ୍କ ନିକଟତର ହୋଇଥିବା ଏହି ବିଧାୟକ ଜଣକ ହେଲେ ତଲସରାର ଭବାନୀ ଶଙ୍କର ଭୋଇ । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିରୁ ବିଧାୟକ ହୋଇଥିବା ଶ୍ରୀ ଭୋଇ ରବିବାର ସକାଳୁ କୋଦାଳ ଓ ଝାଡ଼ୁ ଧରି ପହଞ୍ଚି ଯାଇଥିଲେ ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍ସ୍ଥିତ ମଶାଣିରେ । ମାରିଥିଲେ ଝାଡ଼ୁ, କୋଦାଳରେ କାଟିଥିଲେ ଅନାବନା ଲଟାବୁଦା । ସାଥୀ ସମର୍ଥକଙ୍କ ସହ ମଶାଣିରେ ପଡ଼ିଥିବା ଦରପୋଡ଼ା କାଠ, ପାଉଁଶ, ମୃତଦେହର ଅବଶେଷ ଓ ଫିଙ୍ଗା ଯାଇଥିବା ଅଳିଆକୁ ଉଠାଇ ଫିଙ୍ଗିଲେ । ମଶାଣିର ଚାରିକଡ଼େ ଉଠିଥିବା କଣ୍ଟାବୁଦାକୁ କାଟି ପୂରା ସଫା କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ମଶାଣିରେ ସଫେଇ କରି ଫେରିଥିଲେ ବିଧାୟକ ଭବାନୀ ।