ମମିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ରଣଦୀପ, ଚେଲ୍ଲା କୁମାର

ମମିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ରଣଦୀପ, ଚେଲ୍ଲା କୁମାର

ମମିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ରଣଦୀପ, ଚେଲ୍ଲା କୁମାର

ବଲାଙ୍ଗୀର: ମମିତା ହତ୍ୟା ମାମଲାରେ ଜୋରଦାର ଆନ୍ଦୋଳନ ଚଳାଇଛି କଂଗ୍ରେସ। ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଓଡ଼ିଶା ଆସିଛନ୍ତି ଜାତୀୟ କଂଗ୍ରେସ ଦଳର ସମ୍ପାଦକ ରଣଦୀପ ସୁର୍ୟେୱାଲା ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ଉଭୟ କେନ୍ଦ୍ରୀୟ ନେତା ରାଜ୍ୟ ନେତାଙ୍କ ସହିତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଝର୍‌ନି ଗାଁରେ ପହଞ୍ଚି ମମିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। 

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ ସହ ମିଶି ଏହି କେନ୍ଦ୍ରୀୟ ଟିମ୍ ବଲାଙ୍ଗୀର ଝର୍‌ନି ଗାଁକୁ ଯାଇ ମୃତା ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସରକାରୀ ବୈଠକରେ ଯୋଗ ଦେଉଥିବାବେଳେ ନିଜ ବିରୋଧରେ ଆସୁଥିବା ଅଭିଯୋଗକୁ ନେଇ କିନ୍ତୁ ମୁଁହ ଖୋଲୁନାହାଁନ୍ତି, ଯାହାକି ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଦଳ କହିଛି। ଅନ୍ୟପକ୍ଷରେ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ସୂର୍ୟେୱାଲା ଟ୍ବିଟ୍‌ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶ ଖେରିରେ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ମାରିଦେବା ଘଟଣାରେ ବିଜେପିର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ସାମିଲ ଅଛନ୍ତି। ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି। ଅଥଚ ଏଠାରେ ରାଜ୍ୟ ଗୃହ ରାଷ୍ଟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି। ଏହା ଭାରତୀୟ ଜନତା ପାର୍ଟିର ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ସେ ସମାଲୋଚନା କରିଛନ୍ତି। 

ସେପଟେ ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଏହି ବନ୍ଦ ଡାକରା ଦେଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଚକ ଅଖ ବନ୍ଦ ରହିବ। ଏଥିସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ।