ମାଛ ଧରିବାକୁ ଯାଇଥିଲେ, ମହିଳାଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା : ୪ ଜଣ ମହିଳା ଏକାଠି ମାଛ ଧରିବାକୁ ଯାଇଥିଲେ, ହେଲେ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ । ଖରିନାସୀ ପଞ୍ଚାୟତ ୬ ନମ୍ବର ୱାର୍ଡର କୌଶଲ୍ୟା ମଣ୍ଡଳଙ୍କ ସମେତ ୪ ଜଣ ମହିଳା ମାଛ ଧରିବାକୁ ନିକଟରେ ଥିବା ଜୋରକୁ ଯାଇଥିଲେ । ହଠାତ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ତାଙ୍କ ସହ ଯାଇଥିବା ମହିଳା କହିଛନ୍ତି, କୌଶଲ୍ୟାଙ୍କ ଡାକ ଶୁଣି ପଛକୁ ଫେରି ଚାହିଁଲା ବେଳକୁ ପାଣିରେ ବୁଡାଇ ସାରିଥିଲା କୁମ୍ଭୀର । ପାଟି ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଧଘଣ୍ଟା ଧରି କୌଶଲ୍ୟାଙ୍କ ପତ୍ତା ମିଳିନଥିଲା । ଖୋଜାଖୋଜି କରିବା ପରେ ଲୋକଙ୍କ ଚିକ୍ରାର ଶୁଣି କୁମ୍ଭୀର ଛାଡ଼ି ପଳାଇଥିଲା । କୌଶଲ୍ୟା ପାଣିରେ ଭାସି ଉଠିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତୁ୍ୟ ହୋଇସାରିଥିଲା । ଶରୀରର ଅନେକ ସ୍ଥାନରେ କୁମ୍ଭୀର କାମୁଡ଼ା ଚିହ୍ନ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।