ଭୁବନେଶ୍ୱରରେ ପହଞ୍ଚିଲା ତୁର୍କୀ ପିଆଜ

ଭୁବନେଶ୍ୱରରେ ପହଞ୍ଚିଲା ତୁର୍କୀ ପିଆଜ

ଭୁବନେଶ୍ୱରରେ ପହଞ୍ଚିଲା ତୁର୍କୀ ପିଆଜ
ଭୁବନେଶ୍ୱରରେ ପହଞ୍ଚିଲା ତୁର୍କୀ ପିଆଜ ଭୁବନେଶ୍ୱର : ଦୀର୍ଘ ପ୍ରତୀକ୍ଷା ପରେ ତୁର୍କୀ ପିଆଜ ଆସି ଭୁବନେଶ୍ୱରରେ ପହଞ୍ଚିଛି । ଦିଲ୍ଲୀରୁ ଟ୍ରକରେ ଲୋଡ଼ ହୋଇ ଏହା ଟାଟାନଗର ଦେଇ ଭୁବନେଶ୍ୱରରେ ପହଞ୍ଚିଛି । ତେବେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୨୦ ଟନ୍ ତୁର୍କୀ ପିଆଜ ଓଡ଼ିଶା ଆସିଛି । ଯାହା ସମୁଦ୍ରକୁ ଶଙ୍ଖେ । ଆଗକୁ ଏହି ପିଆଜ ଅଧିକ ପରିମାଣରେ ଆସିବ ବୋଲି ବ୍ୟବସାୟୀଙ୍କ ସୂତ୍୍ରରୁ ସୂଚନା ମିଳିଛି । ତୁର୍କୀରୁ ଆସିଥିବା ପିଆଜର ହୋଲସେଲ ଦର ୮୦ ଟଙ୍କା ରହିଛି । ଆଉ ଜଣେ ବ୍ୟବସାୟୀଙ୍କ ମାଧ୍ୟମରେ ଦିଲ୍ଲୀରୁ ୨୦ ଟନ୍ ତୁର୍କୀ ପିଆଜ ଆସି ପହଞ୍ଚିଛି । ତେବେ ଏହା ବହୁତ ବଡ଼ ପିଆଜ । ଏହା ଖୁଚୁରା ବଜାରରେ ୮୪ ରୁ ୮୫ ଟଙ୍କାରେ ବିକ୍ରି ହେବ ବୋଲି କୁବେରପୁରୀ ବ୍ୟବସାୟୀ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି । ସେପଟେ ନାସିକରୁ ମଧ୍ୟ ପ୍ରାୟ ୨୨୦ ଟନ୍ ପିଆଜ ଆମଦାନୀ ହୋଇ ଆସିଛି । ଛୋଟ ପିଆଜର ହୋଲସେଲର ଦର ୬୦ ରୁ ୬୫ ଟଙ୍କା ଥିବା ବେଳେ ବଡ଼ ପିଆଜର ଦର ୮୫ ଟଙ୍କା ରହିଛି । ନାସିକରୁ ଉତ୍ପାଦନ ଧୀରେ ଧୀରେ ବୃଦ୍ଧି ପାଉଛି । ପିଆଜ ଅଭାବ ସମସ୍ୟା ଆଉ ନାହିଁ । ଆଉ କିଛି ଦିନ ପରେ ଦର କମିବ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି । ସେପଟେ ପିଆଜ ପରେ ଏବେ ଆଳୁ ଲୋଙ୍କ ଚିନ୍ତା ବଢ଼ାଇଲାଣି । ଆଗରୁ ୧୫ ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ ଖୁଚୁରା ବଜାରରେ ୨୬ ରୁ ୨୮ ଟଙ୍କାରେ ବିକ୍ରି ହେଉଛି । ବଜାରରେ ଆଳୁ ଦର ହଠାତ୍ ଉପରମୁହାଁ ହୋଇ ଚାଲିଛି । ପଶ୍ଚିମବଙ୍ଗର ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଓ ହିଂସା ଯୋଗୁଁ ଆଳୁ ପରିବହନ ବାଧାପ୍ରାପ୍ତ ହେଉଛି । ଆଳୁ ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି । ଏବେ ସେଠାରେ ଆଳୁ ଆସିବାରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି । ୨୫ ତାରିଖ ପରେ ଗୋଦାମ ଘର ସଫେଇ ପାଇଁ ମାଲ ଫାଙ୍କା କରାଯିବ । ଫଳରେ ନୂଆବର୍ଷ ଭୋଜିଭାତ ସମୟରେ ଆଳୁ ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।