ଭାରତକୁ ବଡ଼ଭାଇ କହିଲେ ସନଥ ଜୟସୂରିୟା
ଭାରତକୁ ବଡ଼ଭାଇ କହିଲେ ସନଥ ଜୟସୂରିୟା
କଲମ୍ବୋ: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ବିପର୍ୟ୍ୟସ୍ତ ହୋଇ ପଡ଼ିଛି। ଦରଦାମକୁ ନେଇ ଲୋକମାନେ ଭୋକ ଉପାସରେ ରହୁଛନ୍ତି। ଏପରି ସମୟରେ ପଡ଼ୋଶୀ ଭାବେ ଶ୍ରୀଲଙ୍କାକୁ ଯଥା ସମ୍ଭବ ସହଯୋଗ କରିବାରେ ଲାଗିଛି ଭାରତ। ସଙ୍କଟ ବେଳେ ସହଯୋଗର ହାତ ବଢ଼ାଇଥିବାରୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିୟା ଭାରତକୁ ବଡ଼ ଭାଇର ଆଖ୍ୟା ଦେଇଛନ୍ତି। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ଭାରତ ପକ୍ଷରୁ ଶ୍ରୀଲଙ୍କାକୁ କରାଯାଉଥିବା ସହାୟତା ସମ୍ପର୍କରେ ଜୟସୁରିୟା କହିଛନ୍ତି, “ଜଣେ ଭଲ ପଡ଼ୋଶୀ ହିସାବରେ ଭାରତ ସବୁବେଳେ ଆମକୁ ବଡ଼ ଭାଇ ଭଳି ସହାୟତା କରି ଆସିଛି। ଏଥିପାଇଁ ଆମେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଉଛୁ। ବର୍ତ୍ତମାନ ସ୍ଥିତିରେ ଆମକୁ ଜୀବନର ଗାଡ଼ି ଆଗକୁ ନେବା କଷ୍ଟକର ହୋଇପଡ଼ିଛି। ମୌଳିକ ସାମଗ୍ରୀ ହାସଲ କରିବାରେ ଲୋକମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ଭାରତ ଓ ଅନ୍ୟ ଦେଶଗୁଡ଼ିକ ସହାୟତାରେ ଆମେ ସଙ୍କଟମୟ ସ୍ଥିତିରୁ ମୁକୁଳିବୁ ବୋଲି ଆଶା ରଖିଛୁ।”
ସୂଚନାଯୋଗ୍ୟ, ଅତ୍ୟଧିକ ଋଣ ଭାର ଯୋଗୁ ଶ୍ରୀଲଙ୍କା ସ୍ଥିତି ବିଗିଡ଼ି ଯାଇଛି। ଆମଦାନୀ କରିବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ। ଦେଶରେ ସବୁ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି। ପେଟ୍ରୋଲ ଓ ଡିଜେଲ ମିଳୁନାହିଁ। ବିଭିନ୍ନ ସହରରେ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି। ଏସବୁ ଭିତରେ ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି।




admin 