ବ୍ରାହ୍ମଣଙ୍କ ବିରାଧରେ କହି ଜେଲ ଗଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା
ବ୍ରାହ୍ମଣଙ୍କ ବିରାଧରେ କହି ଜେଲ ଗଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା
ରାୟପୁର: ବ୍ରାହ୍ମଣଙ୍କ ବିରୋଧରେ ଅପମାନଜନକ କଥା କହିବା ମହଙ୍ଗା ପଡ଼ିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ। ଏହି ଅଭିଯୋଗରେ ତାଙ୍କୁ ଜେଲ୍ ଯିବାକୁ ହୋଇଛି। ରାୟପୁର ପୁଲିସ ନନ୍ଦ କୁମାରଙ୍କୁ ଦିଲ୍ଲୀରୁ ଗିରଫ କରିବାପରେ ରାୟପୁର ଆଣିଥିଲା। ତାଙ୍କୁ ରାୟପୁରର ଏକ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ କରିନଥିବାରୁ କୋର୍ଟ ତାଙ୍କୁ ୧୫ ଦିନ ବିଚାରବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ୮୬ ବର୍ଷୀୟ ନନ୍ଦ କୁମାର ନିକଟରେ ଲକ୍ଷ୍ନୌ ଗସ୍ତରେ ଯାଇଥିବା ସମୟରେ ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ବ୍ରାହ୍ମଣମାନଙ୍କୁ ସେ ବିଦେଶୀ କହିଥିଲେ। ବ୍ରାହ୍ମଣମାନେ ସଂସ୍କାର ହେବା ଉଚିତ ନଚେତ ଗଙ୍ଗାରୁ ଭୋଲଗା ଯିବାପାଇଁ ପ୍ରସ୍ତୁତ ହେବା ଉଚିତ। ନନ୍ଦ କୁମାର କହିଥିଲେ ବ୍ରାହ୍ମଣମାନେ ଆମକୁ ଅସ୍ପୃଶ୍ୟ ମନେ କରନ୍ତି ଏବଂ ଆମର ସମସ୍ତ ଅଧିକାର ଛଡ଼ାଇ ନେଇଛନ୍ତି। ଗ୍ରାମବାସୀମାନେ ସେମାନଙ୍କ ଗ୍ରାମରେ ବ୍ରାହ୍ମଣଙ୍କୁ ନପୂରାଇବାପାଇଁ ମୁଁ ଅନୁରୋଧ କରୁଛି । ନନ୍ଦ କୁମାରଙ୍କ ଏହି ଟିପ୍ପଣୀ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କ ବିରୋଧରେ ବ୍ରାହ୍ମଣ ସମ୍ପ୍ରଦାୟ ଦ୍ୱାରା ଏତଲା ରୁଜୁ ହୋଇଥିଲା । ତେବେ ନନ୍ଦ କୁମାରଙ୍କର ଏହି ଟିପ୍ପଣୀ ସଂକ୍ରାନ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ପ୍ରଶ୍ନ କରାଯିବାବେଳେ ସେ କହିଥିଲେ, କେହି ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଭାବେ ସବୁ ସମ୍ପ୍ରଦାୟରେ ସମନ୍ୱୟ ରକ୍ଷା କରିବା ମୋର ଦାୟିତ୍ୱ । ଯଦି ବାପା କୌଣସି ସମ୍ପ୍ରଦାୟ ବିରୋଧରେ ଟିପ୍ପଣୀ ରଖିଛନ୍ତି ସେଥିପାଇଁ ମୁଁ ଦୁଃଖିତ । ନନ୍ଦ କୁମାର ଥାନୋର ଇନ୍ସପେକ୍ଟରର ଚେୟାରରେ ବସି ଖାଉଥିବା ଛବି ଭାଇରାଲ ହେବା ପରେ ଏହା କି ପ୍ରକାର ଗିରଫ ବୋଲି ପ୍ରଶ୍ନ ଉଠିଛି ।




admin 