ବୁଧବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ, ସୁରକ୍ଷା ପାଇଁ ରହିବେ ୧୫ ପ୍ଲାଟୁନ ଫୋର୍ସ
ବୁଧବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ, ସୁରକ୍ଷା ପାଇଁ ରହିବେ ୧୫ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ଅଧିବେଶନରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ ୧୦୦ ଅଫିସର ମଧ୍ୟ ମୁତୟନ ହୋଇଛନ୍ତି। କରୋନା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ତେବେ ସୁରକ୍ଷା ବ୍ୟବସ୍ଥା କେମିତି ରହିଛି ତାହାକୁ ଡିଜିପି ଅଭୟ ବିଧାନସଭା ବାହାରେ ଓ ଭିତରେ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି। ୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ସାଦା ପୋଷାକଧାରୀ ପୁଲିସ, ରୁଫଟପ ସୁରକ୍ଷାକର୍ମୀ, କ୍ୟୁଆର୍ଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ। ବିଧାନସଭା ଭିତର ଓ ବାହାରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି। କରୋନା ପାଇଁ ପିଏମଜିରେ ଅଧିକ ଭିଡ ପାଇଁ କଟକଣା ରହିଛି । ଯଦି କେହି ନିୟମ ନ’ମାନି ଧାରଣ ସ୍ଥଳରେ ଆନ୍ଦୋଳନ କରିବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି। କରୋନା ପାଇଁ ବିଭିନ୍ନ ଆଡେ ପୁଲିସ ମୁତୟନ ହୋଇଛନ୍ତି। ଏ ସବୁକୁ ଲକ୍ଷ୍ୟ କରି ଚଳିତ ବିଧାନସଭା ସୁରକ୍ଷାରେ କମ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି ।




admin 