ବିଶେଷ ପରିସ୍ଥିତି ଆସିଲେ ସ୍କୁଲ ବନ୍ଦ କରିବା କଥା ଚିନ୍ତା କରାଯିବ : ମନ୍ତ୍ରୀ
ବିଶେଷ ପରିସ୍ଥିତି ଆସିଲେ ସ୍କୁଲ ବନ୍ଦ କରିବା କଥା ଚିନ୍ତା କରାଯିବ : ମନ୍ତ୍ରୀ
admin
Feb 21, 2021 - 11:14
Updated: Feb 21, 2021 - 11:14
ଭୁବନେଶ୍ଵର: ରାଜ୍ୟରେ ଯଦିଓ ବର୍ଦ୍ଧିତ କରୋନା ଭୟାବହତା ନାହିଁ, ଏହାକୁ ହାଲକାରେ ନେବା ଉଚିତ୍ ନୁହେଁ। ବିଶେଷ ପରିସ୍ଥିତି ଆସିଲେ ସ୍କୁଲ ବନ୍ଦ କରିବାକୁ କିମ୍ବା ଲକଡାଉନ କଥା ଚିନ୍ତା କରାଯିବ। ଏବେ ଏସଓପି ଆଧାରରେ ସ୍କୁଲ ଚାଲିଛି, ଅବସ୍ଥାକୁ ଦେଖି ବିଚାର କରାଯିବ । ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟରେ କୋଭିଡର ପୁନଃ ପ୍ରଭାବ ପ୍ରସଙ୍ଗରେ ଏହା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋଭିଡ ପାଇଁ ସରକାର ସତର୍କ ଅଛନ୍ତି । ସାମାଜିକ ଦୂରତ୍ଵ ଓ ମାସ୍କ ପରିଧାନକୁ ଗୁରୁତ୍ଵ ଦିଆଯାଉଛି । ଆବଶ୍ୟକ ପଡିଲେ ପରିସ୍ଥିତି ଉପରେ ତର୍ଜମା କରାଯିବ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ଗତକାଲି କୋଭିଡର ସାମ୍ପ୍ରତିକ ସ୍ଥିତିକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଥିଲେ ଯେ, ଲୋକଙ୍କୁ ସଚେତନ ଓ ସତର୍କ ରହିବାକୁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ବହିରାଗତଙ୍କୁ ନଜର ରଖିବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଛୁ । ମହାରାଷ୍ଟ୍ର ସମେତ ସବୁ ରାଜ୍ୟ ଲୋକଙ୍କ ଉପରେ ମଧ୍ୟ ନଜର ରଖାଯାଇଛି । ଯେଉଁଠି ସଂକ୍ରମଣ ବଢିବ ଆବଶ୍ୟକସ୍ଥଳେ ସେଠାରେ ଲକଡାଉନ କରାଯିବ । ଦରକାର ପଡ଼ିଲେ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ନିଦେ୍ର୍ଧଶ ଅଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଥିଲେ ।
ଏହାଛଡ଼ା କୋଭିଡର ସାମ୍ପ୍ରତିକ ସ୍ଥିତିକୁ ନେଇ ଡିଏମଇଟି ସିବିକେ ମହାନ୍ତି କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ କୋଭିଡ ସଂଖ୍ୟା କମୁଛି । ଏବେ ଲକଡାଉନର ସମ୍ଭାବନା ନାହିଁ । ମାତ୍ର ଲକଡାଉନର ସମ୍ଭାବନାକୁ ଏଡ଼ାଇ ହେବନାହିଁ । ଲୋକେ ନିଜେ ସଚେତନ ରହିଲେ ଲକଡାଉନକୁ ଏଡ଼ାଇ ହେବ । ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ ପରି ସଂକ୍ରମଣ ନାହିଁ । ସର୍ଭେଲାନ୍ସ ଟିମ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି । କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡାକତରଙ୍କ ପରାମର୍ଶ କରନ୍ତୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଥିଲେ ।