ବିନା ଲାଇସେନ୍ସରେ ମାଳମାଳ ନର୍ସିଂହୋମ: ମାନସ

ବିନା ଲାଇସେନ୍ସରେ ମାଳମାଳ ନର୍ସିଂହୋମ: ମାନସ

ବିନା ଲାଇସେନ୍ସରେ ମାଳମାଳ ନର୍ସିଂହୋମ: ମାନସ
କଟକ: ବିନା ଲାଇସେନ୍ସରେ ଚାଲିଛି ମାଳମାଳ ନର୍ସିଂହୋମ। ଏଠି କି ସେଠି ନୁହେଁ, ଚାରିଆଡେ, ଛତୁ ଫୁଟିଲା ଭଳି ନର୍ସିଙ୍ଗହୋମ ଚାଲିଛି। ଦୁର୍ଭାଗ୍ୟର ବିଷୟ, ସେଥିରୁ ଅଧିକାଂଶ ବିନା ଭିତ୍ତିଭୂମି ଆଉ ସରକାରୀ ସଂସ୍ଥାର ଏନଓସିରେ ଚାଲିଛି। ଏହା ପଛରେ ଗୋଟିଏ ବଡ଼ ଦୁର୍ନୀତି ଚାଲିଛି। ଏଭଳି ବେଆଇନ ନର୍ସିଂହୋମକୁ ଆବଶ୍ୟକ ଲାଇସେନ୍ସ ଦେବା ଓ ତାକୁ ଯାଞ୍ଚ କରିବା ଦାୟିତ୍ୱ ସିଡିଏମଓଙ୍କର, ହେଲେ ସେ କରୁଛନ୍ତି କଣ? ଭିତ୍ତିଭୂମି ଓ ଆବଶ୍ୟକ ଏନଓସି ନଥିଲେ ବି ସିଡିଏମଓଙ୍କ କାର୍ଯ୍ୟାଳୟ କେମିତି ଲାଇସେନ୍ସ ଦେଉଛି ବୋଲି ପ୍ରଶ୍ନ କରିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ଖାଲି ପ୍ରଶ୍ନ କରିନାହାନ୍ତି, ଏହି ପ୍ରଶ୍ନ ହଜାର ହଜାର ନିରୀହ ରୋଗୀଙ୍କ ଜୀବନ ସହ ଜଡିତ ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ସେ ଚେତାବନୀ ଦେଇଛନ୍ତି, ସରକାର ପଦକ୍ଷେପ ନ ନେଲେ ଶୀଘ୍ର କଂଗ୍ରେସ ରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରିବ। ମାନସ ଏକ ଭିଡ଼ିଓ ବାର୍ତ୍ତା ଜାରି କରି କହିଛନ୍ତି, କଟକ ସହର ହେଉଛି ରାଜ୍ୟର ସ୍ୱାସ୍ଥ୍ୟ କ୍ୟାପିଟାଲ। ସାରା ରାଜ୍ୟରୁ ପ୍ରତିଦିନ ହଜାର ହଜାର ରୋଗୀ କଟକ ବଡ଼ ମେଡିକାଲ ଆସନ୍ତି। ମାତ୍ର ବଡ଼ ମେଡିକାଲ ଏବେ ଦଲାଲଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି। ରୋଗୀଙ୍କୁ ଦଲାଲମାନେ ଘରୋଇ ହସ୍ପିଟାଲ ବା ନର୍ସିଙ୍ଗହୋମ ପଠାଇଦେଉଛନ୍ତି, ଆଉ ସେଠି ଘରୋଇ ସଂସ୍ଥା ରୋଗୀଙ୍କୁ ଲୁଟୁଛନ୍ତି। ଦୁଃଖର କଥା ହେଲା ୫୨ ବଜାର ୫୩ ଗଳି ସହରର ପ୍ରତି ଗଳିରେ ମାଳମାଳ ନର୍ସିଙ୍ଗହୋମ ଛିଡା ହୋଇଛନ୍ତି, ସେଥିରୁ ପ୍ରାୟତଃ ବେଆଇନ। କାହାର ଲାଇସେନ୍ସ ନାହିଁ ତ କାହାର ଅଗ୍ନିଶମ ବ୍ୟବସ୍ଥା ନାହିଁ, କାହାର ପାର୍କିଂ ନାହିଁ ତ କାହାର ବିଲଡିଂ ପ୍ଲାନ ଅନୁମୋଦନ ନାହିଁ, ଏମିତିକି ନର୍ସିଂହୋମ ପାଇଁ ଆବଶ୍ୟକ ସିଡିଏମ କାର୍ଯ୍ୟାଳୟର ଅନୁମୋଦନ ପତ୍ର ମିଳିନାହିଁ। ଅନେକ କେବଳ ଆବେଦନ କରି ବର୍ଷ ବର୍ଷ ହେବ ନର୍ସିଙ୍ଗହୋମ ଚଲେଇଛନ୍ତି। ମାନସ କହିଛନ୍ତି, ଏମିତିକି ଆମ୍ବୁଲାନ୍ସ ପଶିବାକୁ ବାଟ ନାହିଁ, ସେଠି ବି ନର୍ସିଙ୍ଗହୋମ ଖୋଲିଛି, ଖାଲି ସେତିକି ନୁହେଁ, ଅନେକ ଡାକ୍ତରଙ୍କ ଘର ଭିତରେ ନର୍ସିଙ୍ଗହୋମ ଚାଲିଛି। ଆବଶ୍ୟକ ବ୍ୟବସ୍ଥା, ଅନୁମୋଦନ, ଭିତ୍ତିଭୂମି ବିନା କେମିତି ପ୍ରତି ମୁହୂର୍ତରେ ହଜାର ହଜାର ରୋଗୀଙ୍କ ଜୀବନ ସହ ଏଭଳି ନର୍ସିଙ୍ଗହୋମଗୁଡ଼ିକ ଖେଳ ଖେଳୁଛନ୍ତି? ସିଡିଏମ କଣ କରୁଛନ୍ତି? ଆବେଦନ କରି ବିନା ଲାଇସେନ୍ସରେ ନର୍ସିଙ୍ଗହୋମ କେତେ ଦିନ ଚାଲି ପାରିବ? ଏଭଳି ସାଙ୍ଘାତିକ କାରବାର ପଛରେ କିଏ ରହିଛି? ସିଡିଏମ କାର୍ଯ୍ୟାଳୟର ସମ୍ପୃକ୍ତି ବିନା କଣ ଏଭଳି ବେଆଇନ କାମ ହୋଇପାରିବ କି? ଏ ପ୍ରଶ୍ନ ଉତ୍ତର ସ୍ୱାସ୍ଥ୍ୟ ବିଭାଗ ଦେଉ। ଶୀଘ୍ର ସରକାର ଶ୍ୱେତ ପତ୍ର ଜାରି କରି ଜଣାନ୍ତୁ, କଟକ ସହରରେ ଛତୁ ଫୁଟିଲା ଭଳି ଚାଲିଥିବା ନର୍ସିଙ୍ଗହୋମ ଭିତରୁ କେତୋଟି ଅନୁମୋଦନ ପାଇଛନ୍ତି ଆଉ କେତୋଟି ବିନା ଲାଇସେନ୍ସରେ ଚାଲିଛି। ବହୁତ ହୋଇଗଲା, ଆଉ ନୁହେଁ ସ୍ୱାସ୍ଥ୍ୟ ସେବା ନାଁରେ ଜାଲିଆତିକୁ ବରଦାସ୍ତ କରାଯିବନି, ଆଗାମୀଦିନରେ କଂଗ୍ରେସ ରାସ୍ତାକୁ ଓଲ୍ହାଇବ, ଆନ୍ଦୋଳନ କରିବ ବୋଲି ଶ୍ରୀ ଚୌଧୁରୀ ଚେତାବନୀ ଦେଇଛନ୍ତି ।