ବିଜୟ ମୁକୁଟ ପିନ୍ଧିଲା ଭାରତ

ବିଜୟ ମୁକୁଟ ପିନ୍ଧିଲା ଭାରତ

ବିଜୟ ମୁକୁଟ ପିନ୍ଧିଲା ଭାରତ

ହରାରେ : ୬ ମାସ ପରେ ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରିଥିବା ଦୀପକ ଚହର ନୂଆବଲ୍‌ରେ ଚମକପ୍ରଦ ବୋଲିଂ କରିଥିଲେ। ଚହରଙ୍କ ସ୍ବିଙ୍ଗ୍‌, ପ୍ରସିଦ୍ଧ କ୍ରିଷ୍ଣାଙ୍କ ବାଉନ୍‌ସ ଓ ଅକ୍ଷର ପଟେଲଙ୍କ ମାପଚୁପ୍‌ ବୋଲିଂ ବଳରେ ତିନିହେଁ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଫଳରେ ଗୁରୁବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଜିମ୍ବାୱେ ୪୦.୩ ଓଭରରେ ମାତ୍ର ୧୮୯ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ପରେ ଫର୍ମରେ ଥିବା ଦୁଇ ଭାରତୀୟ ଓପ୍‌ନର ଶିଖର ଧାୱନ୍ ଓ ଶୁବ୍‌ମାନ ଗିଲ୍‌ ଆଉଟ୍‌ ନ ହୋଇ ଦଳକୁ ବିଜୟୀ କରିଥିଲେ। ୧୯.୧ ଓଭର ବାକିଥାଇ ଭାରତ ୧୦ ୱିକେଟ‌େ‌ର ଜିତି ୩ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଶନିବାର ଏଠାରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ।
ଭାରତୀୟ ଓପ୍‌ନିଂ ଯୋଡ଼ି ପେସାଦାର ଢଙ୍ଗରେ ୧୯୦ ରନ୍‌ର ପିଛା କରିଥିଲେ। ଆରମ୍ଭରୁ ବାମହାତି ଧାୱନ ଆକ୍ରମଣ କରିଥିବା ବେଳେ ପରେ ଶୁବ୍‌ମାନ ଗିଲ୍‌ ମଧ୍ୟ ଦର୍ଶନୀୟ ସଟ୍‌ ଖେଳିଥିଲେ। ୧୩ଶ ଓଭରରେ ଧାୱନ ୩୨ ରନ୍‌ କରିଥିବା ବେଳେ ସନ୍‌ ୱିଲିୟମ୍‌ସ ତାଙ୍କ କ୍ୟାଚ୍‌ ଛାଡ଼ିଥିଲେ। ଏହାର ସୁଯୋଗ ନେଇ ଧାୱନ ୩୮ତମ ଦିନିକିଆ ଏବଂ ୪ର୍ଥ ଦିନିକିଆରେ ୩ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକର ପାଖାପାଖି ହେବା ପରେ ଗିଲ୍‌ ମଧ୍ୟ ଆକ୍ରମଣ କରିଥିଲେ। ଦଳକୁ ଜିତାଇ ଫେରିବା ବେଳକୁ ଧାୱନ ୧୧୩ ବଲ୍‌ରୁ ୯ଟି ଚୌକା ସହ ୮୧ ଏବଂ ଶୁବ୍‌ମାନ ଗିଲ୍‌ ୭୨ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୮୨ ରନ୍‌କରି ଅପରାଜିତ ଥିଲେ। ହରାରେ ସ୍ପୋର୍ଟସ କ୍ଲବ୍‌ ପିଚ୍‌ରେ ଘାସ ଥିବା ବେଳେ ସକାଳୁ ମ୍ୟାଚ୍‌ ଥିବାରୁ ଟସ୍ ଜିତି ଭାରତ ଫିଲ୍‌ଡିଂ ନେଇଥିଲା। ନୂଆ ବଲ୍‌ ସ୍ବିଙ୍ଗ୍‌ କରିଥିଲା। ଦୀପକ ଚହର ପ୍ରଥମ ୩ଟି ୱିକେଟ ନେବାରୁ ଜିମ୍ବାୱେ ୩୧ ରନ୍‌ରେ ୪ଟି ଏବଂ ପରେ ୧୧୦ ରନ୍‌ରେ ୮ଟି ୱିକେଟ ହରାଇଥିଲା। ତେବେ ୯ମ ୱିକେଟ ପାଇଁ ବ୍ରାଡ୍‌ ଇଭାନ୍‌ସ ଓ ରିଚାର୍ଡ ଏନ୍‌ଗରାୱା ପ୍ରତ୍ୟାକ୍ରମଣ କରି ୬୫ ବଲ୍‌ରୁ ୭୦ ରନ୍‌ କରିବାରୁ ଜିମ୍ବାୱେ ୧୮୯ ରନ୍‌ର ସମ୍ମାନଜନକ ସ୍କୋର୍‌ରେ ପହଞ୍ଚି ପାରିଥିଲା।

ଦୀପକ ଚହର ନୂଆବଲ୍‌କୁ ଉଭୟ ପଟକୁ ସ୍ବିଙ୍ଗ୍‌ କରିଥିଲେ। ଫଳରେ ତାଙ୍କ ଓପ୍‌ନିଂ ସ୍ପେଲ୍‌ରେ ଚହର ୭ ଓଭରରୁ ୨୭ ରନ୍‌ ଦେଇ ୩ଟି ୱିକେଟ ନେଇଥିଲେ। ଜିମ୍ବାୱେର ପ୍ରଥମ ୪ ବ୍ୟାଟ୍‌ସମ୍ୟାନ୍ ଦୁଇଅଙ୍କ ସ୍କୋର୍‌ରେ ପହଞ୍ଚି ପାରିନଥିଲେ। ବାଂଲାଦେଶ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରେ ୨ଟି ଶତକ ଏବଂ ଟି୨୦ ଶୃଙ୍ଖଳାରେ ୨ଟି ଅର୍ଦ୍ଧଶତକ ମାରିଥିବା ସିକନ୍ଦର ରାଜା ୧୨ ରନ୍‌କରି ଆଉଟ୍‌ ହୋଇଥିଲେ। ୬୬ ରନ୍‌ରେ ଅଧା ବ୍ୟାଟ୍‌ସମ୍ୟାନଙ୍କୁ ହରାଇ ଜିମ୍ବାୱେ ଦୟନୀୟ ସ୍ଥିତିରେ ଥିଲା। ଅଧିନାୟକ ରେଜିସ୍ ଚାକାଭା କିଛି ଦର୍ଶନୀୟ ସଟ୍‌ ଖେଳି ୫୧ ବଲ୍‌ରୁ ୩୫ ରନ୍‌ କରିଥିଲେ। ରିୟାନ୍ ବର୍ଲ ୧୧ ଓ ଲ୍ୟୁକ୍ ଜଙ୍ଗ୍‌ୱେ ୧୩ ରନ୍‌କରି ଆଉଟ୍‌ ହେବା ବେଳକୁ ଜିମ୍ବାୱେର ସ୍କୋର୍‌ ଥିବା ୮ ୱିକେଟରେ ୧୧୦ ରନ୍‌। ରିଚାର୍ଡ ଏନ୍‌ଗରାୱା ୪୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ଏବଂ ଇଭାନ୍‌ସ ୨୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୩ ରନ୍‌କରି ଅପରାଜିତ ଥିଲେ। ଦୁହିଁଙ୍କ ମଧ୍ୟରେ ୭୦ ରନ୍‌ର ଭାଗିଦାରୀ ଯୋଗୁଁ ଜିମ୍ବାୱେ ସମ୍ମାନ ରଖି ପାରିଥିଲା। ଦୀପକ ଚହର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।