ବିଜେଡିର ବସ୍ ଦିଲ୍ଲୀରେ ନାହାନ୍ତି

ବିଜେଡିର ବସ୍ ଦିଲ୍ଲୀରେ ନାହାନ୍ତି

ବିଜେଡିର ବସ୍ ଦିଲ୍ଲୀରେ ନାହାନ୍ତି

ଭୁବନେଶ୍ୱର:"ଦିଲ୍ଲୀରେ ଆମର କେହି ବସ୍ ନାହାଁନ୍ତି, ଓଡ଼ିଶାବାସୀ ହେଉଛନ୍ତି ଆମ ବସ୍। ଆମେ ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ କରୁଛୁ, ଓଡ଼ିଶାବାସୀଙ୍କ ଇଚ୍ଛାରେ ଓ ରାଜ୍ୟର ହକ୍ ପାଇଁ କରୁଛୁ। ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ଉତ୍ତରଦାୟୀ।" ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି କହି ନବୀନ କେବଳ ରାଜ୍ୟବାସୀଙ୍କ ମନ ଜିଣିବାକୁ ଚେଷ୍ଟା କରିନାହାନ୍ତି, ବିଜେପି ଓ କଂଗ୍ରେସ ଦଳକୁ ବି ଟାର୍ଗେଟ କରିଛନ୍ତି। 

ନବୀନ କହିଛନ୍ତି,୨୫ ବର୍ଷ ତଳେ ବିଜୁବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ବିରାଟ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି ବିଜେଡି। ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ, ଯାହାର ଲୋକପ୍ରିୟତା ବର୍ଷକୁ ବର୍ଷ ବଢ଼ୁଛି । ଏଥିରେ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ପରିଶ୍ରମ ଓ ତ୍ୟାଗ ରହିଛି। କର୍ମକର୍ତ୍ତା ହେଉଛନ୍ତି ବିଜେଡି ଦଳର ମେରୁଦଣ୍ଡ ।

ନବୀନ ଆହୁରି କହିଛନ୍ତି, ଗରିବୀ ହ୍ରାସ କରିବାରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା । ରାଜ୍ୟରେ ଗରିବୀ ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ ଖସିଛି । ୮୦ ଲକ୍ଷ ଲୋକ ଗରିବ ସୀମାରେଖା ଉପରକୁ ଆସିଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବୀକୁ ୧୦ ପ୍ରତିଶତକୁ ହ୍ରାସ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । 

ପ୍ରାକୃତିକ ଦୁର୍ବିପାକ ମୁକାବିଲାରେ ଓଡ଼ିଶା ସାରା ବିଶ୍ୱରେ ମଡେଲ ହୋଇପାରିଛି। ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ନେଇ ସମସ୍ତଙ୍କୁ ବାଟ ଦେଇଖାଇଛି ଓଡ଼ିଶା । ସେହିପରି ମହିଳା ସଶକ୍ତିକରଣରେ ଓଡ଼ିଶା ଆଗୁଆ। ମାଆମାନଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣରେ ଓଡ଼ିଶା ଆଗୁଆ। ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସ୍ୱାସ୍ଥ୍ୟ ହେଉ କି ଖେଳ ସବୁକ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ିଛି ।