ବିଜେଡି, ବିଜେପି ସହ ଲଢେଇ ଜାରି ରହିବ: ଭକ୍ତ
ବିଜେଡି, ବିଜେପି ସହ ଲଢେଇ ଜାରି ରହିବ: ଭକ୍ତ
admin
Sep 12, 2020 - 10:16
Updated: Sep 12, 2020 - 10:16
ଭୁବନେଶ୍ୱର: ରାଜ୍ୟରେ ବିଜେପି ଓ ବିଜେଡି ମିଳିମିଶି ରହିଛନ୍ତି । ଉଭୟ ଦଳ ସହ ଆମର ଲଢେଇ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା ଭକ୍ତଚରଣ ଦାସ । ମିଜୋରାମ ଓ ମଣିପୁର ପ୍ରଭାରୀ ନିଯୁକ୍ତ ହେବା ପରେ ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ସଂଗଠନ ମଜଭୁତ କରିବାକୁ ନୂଆ ପ୍ରଭାରୀଙ୍କ ସହ କାମ କରାଯିବ । ନୂଆ ପ୍ରଭାରୀ ଚେଲ୍ଲାକୁମାର ଜଣେ ନିଷ୍ଠାବାନ କର୍ମୀ । ସେ କାହା ଦ୍ୱାରା ପ୍ରଭାବିତ ହୁଅନ୍ତିନି । ପୂର୍ବରୁ ଅନେକ ପ୍ରଦେଶର ଦାୟିତ୍ୱ ମୋତେ ମିଳିଥିଲା । ଅଭିଜ୍ଞତା କାମରେ ଲଗାଇବି ବୋଲି ସେ କହିଛନ୍ତି । ଏହାଛଡ଼ା ସିଡବ୍ଲୁ୍ୟସିରେ ସ୍ଥାନ ମିଳିଥିବା ସେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ଦ୍ୱାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭୋଟ ପ୍ରତିଶତ ବଢିବ ବୋଲି ଭକ୍ତଚରଣ ଦାସ କହିଛନ୍ତି ।
ପ୍ରକାଶ ଯେ, କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଗତକାଲି ଦଳୀୟ ସଂଗଠନରେ ବଡ଼ ଧରଣର ପୁନର୍ବିନ୍ୟାସ କରିଥିଲେ । ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ. ଚେଲ୍ଲା କୁମାରଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି । ଏଥିସହିତ କଂଗ୍ରେସ କାର୍ୟ୍ୟକାରୀ କମିଟି (ସିଡବ୍ଲୁ୍ୟସି) ସଦସ୍ୟ ଓ ତେଲେଙ୍ଗାନା ପ୍ରଭାରୀ ଥିବା ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ବାଦ ଦିଆଯାଇଛି । ଅନ୍ୟପକ୍ଷରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ପ୍ରଭାରୀଭାବେ ଦାୟିତ୍ୱ ମିଳିବା ସହ ସିଡବ୍ଲୁ୍ୟସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଭାବେ ନିଯୁକ୍ତ କରାଯାଇଛି । ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ନେଇଥିବା ଜିତେନ୍ଦ୍ର ସିଂହଙ୍କୁ ଆସାମ ପ୍ରଭାରୀଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶାର ନୂଆ ପ୍ରଭାରୀ ଦାୟିତ୍ୱ ପାଇଥିବା ଚେଲ୍ଲା କୁମାର ୨୦୧୯ ନିର୍ବାଚନରେ ତାମିଲନାଡ଼ୁର କ୍ରିଷନଗିରି ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ।