ବାସ୍ତୁ ଅନୁଯାୟୀ ଭୋଜନ କରିବାର ନିୟମ

ବାସ୍ତୁଶାସ୍ତ୍ରରେ ଭୋଜନ କରିବା ଲାଗି ନିର୍ଦ୍ଧାରିତ କେତୋଟି ନିୟମ ରହିଛି। ଯଦି ତାହାକୁ ମାନି ଉଚିତ୍ ଭାବେ ଭୋଜନ କରାଯାଏ, ତା’ହେଲେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିବା ସହ ଗୃହରେ ଶାନ୍ତି ବଜାୟ ରହିଥାଏ। ଆଉ ଯଦି ସେଥିରେ କିଛି ବ୍ୟତିକ୍ରମ ଦେଖାଯାଏ, ତା’ହେଲେ ସ୍ବାସ୍ଥ୍ୟ ଉପରେ ଏହାର ଅନେକ ଖରାପ ପ୍ରଭାବ ପଡିଥାଏ ବୋଲି କୁହାଯାଏ। ଯେମିତିକି:
ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ରୋଗ ଓ ମାନସିକ ଚାପ ଦୂର ହୁଏ। ମସ୍ତିଷ୍କକୁ ସ୍ଫୁର୍ତ୍ତି ମିଳିଥାଏ। ଖାଦ୍ୟ ଭଲଭାବେ ହଜମ ହୁଏ। ତେଣୁ ସ୍ବାସ୍ଥ୍ୟ ଠିକ୍ ରହେ। ବୟସ୍କ ଓ ଅସୁସ୍ଥ ରହୁଥିବା ବ୍ୟକ୍ତି ଏହି ଦିଗକୁ ମୁହଁ କରି ଖାଇବା ଭଲ।
ଯେଉଁମାନେ ଧନ, ବିଦ୍ୟା ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ କରିବାକୁ ଚାହାନ୍ତି ସେମାନେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଭଲ। କ୍ୟାରିୟର ସଚେତନ ଯୁବପିଢି ଓ ବିଦ୍ୟାର୍ଥୀ ମଧ୍ୟ ଏହି ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ହୋଇଥାଏ।
ସେହିପରି ପଶ୍ଚିମ ଦିଗକୁ ଲାଭର ଦିଗଭାବେ ବିବେଚନା କରାଯାଏ। ବ୍ୟବସାୟ, ଚାକିରି କରିଥିବା ବ୍ୟକ୍ତି ଏହି ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ଅନ୍ୟପକ୍ଷେ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ କୌଣସି ହାନୀ ହୋଇ ନ ଥାଏ। ତେବେ ଯେଉଁମାନଙ୍କର ମାତାପିତା ଜୀବିତ ଅଛନ୍ତି ସେମାନେ ଏହି ଦିଗରେ ଖାଇବା ଉଚିତ ନୁହେଁ। ଯଦି ଏକାଠି ଅନେକ ଲୋକ ବସି ଖାଉଛନ୍ତି ତେବେ କୌଣସି ଦିଗର ପ୍ରଭାବ କାହାରି ଉପରେ ପଡି ନ ଥାଏ।