ଅଭାବନୀୟ: ପୋଖରୀକୁ ଖସିଲା ବସ୍, ୧୭ ମୃତ

ଢାକା: ବାଂଲାଦେଶ ଛତ୍ରକଣ୍ଡା ଅଞ୍ଚଳରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସିଲା ଯାତ୍ରୀବାହୀ ବସ୍ । ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୫ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି । ଗାଡ଼ି ଚାଳକଙ୍କ ଅବହେଳା ପାଇଁ ବସ୍ ପୋଖରୀରେ ପଡ଼ିଯାଇଥିବା ଅଭିଯୋଗ ହୋଇଛି । କ୍ଷମତାଠାରୁ ଅତ୍ୟଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍ । ୫୨ ଜଣ ଯିବାର କ୍ଷମତା ଥିବା ବେଳେ, ବସ୍ରେ ୬୦ ଯାତ୍ରୀ ଥିଲେ । ଶନିବାର ସକାଳ ୯ଟାରେ ପୁରୋଜପୁରରୁ ବସଟି ବାହାରିଥିଲା । ୧୦ଟା ବେଳକୁ ଛତ୍ରକଣ୍ଡାରେ ପହଞ୍ଚିଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀରେ ପଡ଼ିଯାଇଥିଲା ବସ୍ । ବସ୍ ଓଭରଲୋଡ୍ ଥିବାରୁ ଶୀଘ୍ର ପାଣିରେ ବୁଡିଯାଇଥିଲା ।ବାଂଲାଦେଶରେ ବସ୍ ଦୁର୍ଘଟଣାରେ ଗୋଟିଏ ମାସରେ ୫୬୨ ଜଣଙ୍କ ମୃତ୍ୟୁ ହେଲାଣି । କେବଳ ଜୁନରେ ୫୫୯ ବସ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ୨୦୭ଟି ବାଇକ୍ ଦୁର୍ଘଟଣା ହୋଇଥିବା ବେଳେ, ୧୬୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ମାସକରେ ୭୮ ମହିଳା ଓ ୧୧୪ ଶିଶୁଙ୍କର ମୃତ୍ୟୁ ହେଲାଣି ।