ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାଜାତୀୟ ପତାକା ବହନ କଲେ ପି.ଭି. ସିନ୍ଧୁ

ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାଜାତୀୟ ପତାକା ବହନ କଲେ ପି.ଭି. ସିନ୍ଧୁ

ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାଜାତୀୟ ପତାକା ବହନ କଲେ ପି.ଭି. ସିନ୍ଧୁ

ବର୍ମିଂହାମ୍‌: ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବିଗୁଲ୍‌ ବାଜିଛି। ଗୁରୁବାର ଆଲେକ୍‌ଜାଣ୍ଡର ଷ୍ଟାଡିୟମ୍‌ରେ ୩ ଘଣ୍ଟାର ଆକର୍ଷଣୀୟ ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହୋଇଥିଲା। ଆରମ୍ଭରୁ ଘଣ୍ଟାଏ ସମୟ ରଙ୍ଗାରଙ୍ଗ ନୃତ୍ୟ ଓ ସଂଗୀତର ପ୍ରଦର୍ଶନ ପରେ ଖେଳାଳିଙ୍କ ମାର୍ଚ୍ଚ ପାଷ୍ଟ ଆରମ୍ଭ ହୋଇଥିଲା। ରାଜ୍ୟଗୋଷ୍ଠୀର ସୁପରପାୱର ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ଷ୍ଟାଡିୟମ୍‌କୁ ଆସିଥିଲା। ଭାରତୀୟ ଦଳର ମାର୍ଚ୍ଚପାଷ୍ଟ ଆଗରେ ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଜାତୀୟ ପତାକା ବହନ କରି ଆସିଥିଲେ।
ଉତ୍ସବ ଆରମ୍ଭରୁ ରାଜ୍ୟଗୋଷ୍ଠୀର ମୁଖ୍ୟ ଭାବେ ରୌପ୍ୟଜୟନ୍ତୀ ପାଳନ କରୁଥିବା ବ୍ରିଟିଶ୍‌ ମହାରାଣୀ ଏଲିଜାବେଥ୍‌-୨ଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ବର୍ମିଂହାମ୍‌ର କାର୍‌ ଶିଳ୍ପକୁ ଦର୍ଶାଇବା ପାଇଁ ୫ଟି ଦଶକର ୭୨ଟି ବିଭିନ୍ନ ପ୍ରକାର କାର୍ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲା; ଯାହା ୭୨ଟି ପ୍ରତିଯୋଗୀ ଦେଶକୁ ଦର୍ଶାଉଥିଲା। ପ୍ରିନ୍‌ସ ଚାର୍ଲସ ମଧ୍ୟ ସେଥିରୁ ଏକ କାର୍ ଚଳାଇ ଆସିଥିଲେ। ପରେ ନୋବେଲ୍ ପୁରସ୍କାର ବିଜୟିନୀ ମଲାଲା ୟୁସୁଫ୍‌ଜାଇ ସଂକ୍ଷିପ୍ତ ପ୍ରେରଣାଦାୟୀ ସମ୍ଭାଷଣ ରଖିଥିଲେ। ବର୍ମିଂହାମ୍‌ର ଶିଳ୍ପ ବିପ୍ଳବ ଓ ସହରର ସଂସ୍କୃତି ଉପରେ ନୃତ୍ୟ ପରିବେଷଣ ହୋଇଥିଲା। ଅଲିମ୍ପକ୍‌ ସ୍ବର୍ଣ୍ଣପଦକ ବିଜେତା ଡାଇଭର ଟମ୍ ଡେଲି ଅନ୍ତିମ କ୍ରୀଡ଼ାବିତ୍‌ ଭାବେ କ୍ବିନ୍‌ସ ବ୍ୟାଟନ୍‌କୁ ଉଦ୍‌ଘାଟନୀ ଉତ୍ସବକୁ ଆଣିଥିଲେ। ଏଥିରେ ଥିବା ବ୍ରିଟିଶ୍‌ ସାମ୍ରାଜ୍ଞୀଙ୍କ ବାର୍ତ୍ତାକୁ ପାଠ କରା ଯାଇଥିଲା। ପ୍ରିନ୍‌ସ ଚାର୍ଲସ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାର ଉଦ୍‌ଘାଟନ ଘୋଷଣା କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ଆକର୍ଷଣ ଥିଲା ବର୍ମିଂହାମ୍‌ର ବିଶ୍ବ ବିଖ୍ୟାତ ବ୍ୟାଣ୍ଡ୍‌ ‘ଡ୍ୟୁରାନ୍ ଡ୍ୟୁରାନ୍‌’ର ସଂଗୀତ ପରିବେଷଣ। ପୁଣି ନାମୀ ଗିଟାରିଷ୍ଟ ଟୋନି ଲୋମିଙ୍କ ସହ ମାର୍ଶାଲ ଓ ଗାମ୍ବିମ୍ବିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୧୫ଟି ଗ୍ରୁପ୍‌ର ପ୍ରାୟ ୭୦୦ କଳାକାର ସଂଗୀତ ପରିବେଷଣ କରିଥିଲେ। ପରେ କ୍ରୀଡ଼ାର ମଶାଲ ଜଳା ଯାଇଥିଲା। ଅଗଷ୍ଟ ୮ ପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେବ।