ବଦଳିବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ!
ବଦଳିବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ!
admin
Sep 23, 2019 - 07:37
Updated: Sep 23, 2019 - 07:37
ଭୁବନେଶ୍ୱର : ବିଜେପୁର ଉପନିର୍ବାନ ପୂର୍ବରୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ପଦରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବଦଳି ହୋଇପାରେ । ୨୦୧୯ ସାଧାରଣ ନିର୍ବାଚନ ପରେ ସିଇଓ ପଦରୁ ଅବ୍ୟାହତି ନେବା ପାଇଁ ଶ୍ରୀ କୁମାର ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ନିର୍ବାଚନ କମିସନଙ୍କ ନିଦେ୍ର୍ଧଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଶ୍ରୀ କୁମାରଙ୍କ ସ୍ଥାନରେ ସିଇଓ ପଦ ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାମ ପଠାଇଛନ୍ତି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୯୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ବାଣିଜି୍ୟକ କମିସନର ଏବଂ ଅବକାରୀ ବିଭାଗ ଶାସନ ସଚିବ ଥିବା ସୁଶୀଲ କୁମାର ଲାହାନି, ୧୯୯୯ ବ୍ୟାଚ୍ ଆଇଏଏସ୍ ତଥା ଭୂ-ବନେ୍ଦାବସ୍ତ କମିସନର ଏନ୍.ବି.ଏସ୍ ରାଜପୁତ୍ ଓ ୧୯୯୯ ବ୍ୟାଚ୍ ଆଇଏଏସ୍ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ନାମକୁ ମୁଖ୍ୟ ଶାସନ ସଚିବ ସୁପାରିସ କରିଛନ୍ତି । ତେଣୁ ଏହି ତିନି ଜଣଙ୍କ ମଧ୍ୟରୁ କେହି ଜଣେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଛି ।
ପ୍ରକାଶ ଥାଉ କି, ପୂର୍ବତନ ସିଇଓ ଡି.ଏନ୍.ଗୁପ୍ତାଙ୍କ ସ୍ଥାନରେ ପ୍ରମୁଖ ଶାସନ ସଚିବ ପାହ୍ୟାର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାର ୨୦୧୮ ମସିହା ଫେବୃଆରି ମାସରେ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ କୌତୁହଳର କଥା ହେଉଛି, ୨୦୧୮ରେ ଅନୁଷ୍ଠିତ ହୋଇଥିବା ବିଜେପୁର ଉପନିର୍ବାଚନ ଠିକ୍ ପୂର୍ବରୁ ଶ୍ରୀ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିଲେ । ଆଉ ଆଜି ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ତାରିଖ ଘୋଷଣା ହେବା ପରେ ଶ୍ରୀ କୁମାରଙ୍କ ବଦଳି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ସୁପାରିସ କରିଥିବା ୩ ଜଣ ଆଇଏଏସ୍ଙ୍କ ଭିତରୁ ଜଣକୁ ନିର୍ବାଚନ କମିସନ ବାଛିବେ । ଅକ୍ଟାବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପୂର୍ବରୁ ବର୍ତ୍ତମାନର ସିଇଓ ଥିବା ଶ୍ରୀ କୁମାରଙ୍କ ସ୍ଥାନରେ ନୂଆ ସିଇଓଙ୍କ ନାମ ଘୋଷଣା ହେବ କି ନାହିଁ ସେ ନିଷ୍ପତ୍ତି ନିର୍ବାଚନ କମିସନଙ୍କ ଉପରେ ନିର୍ଭର କରୁଛି ।