ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି, ମ୍ୟାନ୍, ମେସିନାରୀ ଓ ମନି ଟ୍ରିପଲ ଏମ୍ ମନ୍ତ୍ରକୁ ଗୁରୁତ୍ବ
ଭୁବନେଶ୍ୱର: ମେ’ ମାସରେ ତାଣ୍ଡବ ରଚୁଛି ବାତ୍ୟା। ଚଳିତ ବର୍ଷ ମେ’ ମାସରେ ବାତ୍ୟା ନେଇ ଏଯାଏଁ ସୂଚନା ନାହିଁ। ହେଲେ ଖରାଦିନିଆ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ମ୍ୟାନ୍, ମେସିନାରୀ ଓ ମନି ଟ୍ରିପଲ ଏମ୍ ମନ୍ତ୍ରକୁ ଦିଆଯାଇଛି ଗୁରୁତ୍ବ । ପ୍ରତି ବିଭାଗର ମାନବ ସମ୍ବଳକୁ ନେଇ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କରାଯିବ । ସମସ୍ତ ଉପକରଣ ପାଇଁ ମେସିନାରି ବ୍ୟବହାରକୁ ଗୁରୁତ୍ବ ଦିଆଯିବ । ମୁଖ୍ୟତଃ ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗକୁ ପର୍ୟ୍ୟାପ୍ତ ଅର୍ଥ ବି ପ୍ରଦାନ କରାଯାଇଛି । ଏହାକୁ ନେଇ ମେ ପହିଲାରୁ ରାଜସ୍ବ ବିଭାଗ ଓ ଜିଲ୍ଳାମାନଙ୍କରେ ପ୍ରଥମ ଣ୍ରେଣୀ ଅଧିକାରୀଙ୍କ ତତ୍ତ୍ବାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲୁ କରାଯିବ। ପ୍ରତିବର୍ଷ ପରି ମେ’ ୧୮ ଓ ୧୯ ତାରିଖରେ ଜିଲ୍ଲା ସଦର ମହକୁମା, ବହୁମୁଖୀ ଆଶ୍ରୟସ୍ଥଳୀ, ବ୍ଲକସ୍ତରରେ ଟେବୁଲ ଟପ୍ ଏକ୍ସରସାଇଜ ଓ ମକ୍ ଡ୍ରିଲ୍ କରାଯିବ।
ବାତ୍ୟା ସମୟରେ ଟେଲିକମ୍ ସିଷ୍ଟମକୁ କାର୍ୟ୍ୟକ୍ଷମ ରଖିବା ପାଇଁ ବିଏସଏନଏଲ୍ ଓ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ଦାୟିତ୍ବ ଦିଆଯାଇଛି । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଆଗୁଆ ମୋବାଇଲ୍ ଟାଓ୍ବାର ଲଗାଯିବ। ପାରାଦୀପ ଓ ଗୋପାଳପୁରରେ ଡୋପଲାର ରାଡାର ସାଇକ୍ଲୋନ୍ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନରେ ସହାୟକ ହେବ । ୩୧୭ଟି ଫାୟାର ଷ୍ଟେସନରେ ଆବଶ୍ୟକ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଉଦ୍ଧାରକାର୍ୟ୍ୟ ପାଇଁ ତାଲିମପ୍ରାପ୍ତ ଅଧିକାରୀ ରହିଛନ୍ତି । ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅଧିକ ଫୋକସ୍ ଦେବେ ଜିଲ୍ଲାପାଳ ।




admin 