ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ

ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ

ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ

ଭୋପାଲ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ ହୋଇଛି। ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଇନ୍ଦୋର ଜିଲ୍ଲା କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ସହିତ ଏହି ମାମଲାର ଅନ୍ୟ ୫ ଜଣଙ୍କୁ ମଧ୍ୟ ଜେଲ୍ ଦଣ୍ଡ ହୋଇଛି।

୨୦୧୧ରେ ଆନ୍ଦୋଳନରତ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସହିତ ମାର୍ପିଟ ଘଟଣାରେ ଶନିବାର ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଥିଲେ। ତେବେ ପ୍ରଥମେ ଜେଲ୍ ଦଣ୍ଡ ଶୁଣାଇବା ପରେ ସମସ୍ତ ଅଭିଯୁକ୍ତଙ୍କୁ ବେଲ୍ ଦେଇଛନ୍ତି କୋର୍ଟ। ୨୫ ହଜାର ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ବେଲ୍ ମିଳିଛି। ଅଭିଯୁକ୍ତଙ୍କ ମଧ୍ୟରେ ଉଜ୍ଜେନର ପୂର୍ବତନ ସାଂସଦ ପ୍ରେମଚନ୍ଦ ଗୁଡୁ ମଧ୍ୟ ଅଛନ୍ତି। ସେହିପରି ଏହି ମାମଲାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରାଯାଇଛି।

କୋର୍ଟଙ୍କ ରାୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଦିଗବିଜୟ ସିଂହ ଓ ପୂର୍ବତନ ସାଂସଦ ପ୍ରେମଚାନ୍ଦ ଗୁଡୁ। ଷଡଯନ୍ତ୍ର କରି ତାଙ୍କୁ ଫସାଇଯାଇଥିବା ଦିଗବିଜୟ କହିଛନ୍ତି । ନ୍ୟାୟ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି । କୋର୍ଟଙ୍କ ରାୟକୁ ନେଇ କିଛି ଟିପ୍ପଣୀ କରିବାକୁ ଚାହୁଁ ନାହୁଁ ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରେମଚାନ୍ଦ ଗୁଡୁ।

୨୦୧୧ ଜୁଲାଇ ୧୭ ତାରିଖରେ ଉଜ୍ଜେନର ଜିୱାଜିଗଞ୍ଜ ଦେଇ ଦିଗବିଜୟ ସିଂହଙ୍କ କନଭୟ ଯାଉଥିବା ବେଳେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦିଗବିଜୟ ସିଂହଙ୍କୁ କଳା ପତାକା ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ଉଭୟ ଦଳ ମଧ୍ୟରେ ମାରପିଟ୍‌ ହୋଇଥିଲା।