ଶକ୍ତି ପ୍ରଦର୍ଶନ ପୂର୍ବରୁ ଇମ୍ରାନଙ୍କ ୫୦ ମନ୍ତ୍ରୀ ଗାଏବ

ଶକ୍ତି ପ୍ରଦର୍ଶନ ପୂର୍ବରୁ ଇମ୍ରାନଙ୍କ ୫୦ ମନ୍ତ୍ରୀ ଗାଏବ

ଶକ୍ତି ପ୍ରଦର୍ଶନ ପୂର୍ବରୁ ଇମ୍ରାନଙ୍କ ୫୦ ମନ୍ତ୍ରୀ ଗାଏବ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସମସ୍ୟା ବଢ଼ି ବଢ଼ି ଚାଲିଛି। ଆସନ ଟଳିବା ସମ୍ଭାବନା ବଢ଼ି ଯାଇଛି। ଇମ୍ରାନଙ୍କୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। ଆଉ ବିରୋଧୀଙ୍କୁ ଚେକ୍ ଦେବାକୁ ଆଜି ଶକ୍ତି ପ୍ରଦର୍ଶନ କରିବେ କ୍ରିକେଟରୁ ପ୍ରଧାନମନ୍ତ୍ରୀ ବନିଥିବା ଇମ୍ରାନ ଖାନ। ୧୦ ଲକ୍ଷରୁ ଅଧିକ ସମର୍ଥକଙ୍କୁ ନେଇ ଦମ୍ ଦେଖାଇବେ ବୋଲି ଦାବି କରିଛନ୍ତି ଇମ୍ରାନ୍। ତେବେ ଏହା ପୂର୍ବରୁ ଲାଗିଛି ତାଙ୍କୁ ଜୋରଦାର ଝଟ୍କା।

ଇମ୍ରାନ ବାରମ୍ବାର କହି ଆସିଛନ୍ତି ଯେତେ ଚାପ ପଡିଲେ ମଧ୍ୟ ସେ ଇସ୍ତଫା ଦେବେ ନାହିଁ। ତେବେ ଏହାରି ଭିତରେ ତାଙ୍କ ଅସୁବିଧା ଆହୁରି ବଢ଼ିଛି। ନିଜ ଦଳ ତେହରିକ-ଏ-ଇନ୍ସାଫର ପ୍ରାୟ ୫୦ରୁ ଅଧିକ ସଂଘୀୟ ଓ ପ୍ରାଦେଶିକ ମନ୍ତ୍ରୀ ଗାଏବ ହୋଇଯାଇଛନ୍ତି। ଇମ୍ରାନଙ୍କ ବିରୋଧରେ ଆନାସ୍ଥା ପ୍ରସ୍ତାବ ଅଣାଯିବା ପ୍ରସଙ୍ଗ ଉଠିବା ପରେ ଏହି ମନ୍ତ୍ରୀଙ୍କର ଆଉ ଦେଖାନାହିଁ।

ସେମାନଙ୍କ ମଧ୍ୟରୁ ୨୫ ଜଣ ଇମ୍ରାନଙ୍କ କ୍ୟାବିନେଟର ମନ୍ତ୍ରୀ ହୋଇଥିଲା ବେଳେ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟ ୨୩ ଜଣ ପ୍ରାଦେଶିକ ମନ୍ତ୍ରୀ ଅଛନ୍ତି। ଚର୍ଚ୍ଚା ହେଉଛି କି ଏମାନେ ବିରୋଧୀ ଦଳ ସହ ମିଶି ଇମ୍ରାନଙ୍କ ବିରୋଧରେ ଭୋଟ ଦେଇପାରନ୍ତି। ସେପଟେ ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି, ଶାସକ ଦଳର ମନ୍ତ୍ରୀ କିମ୍ବା ସାଂସଦମାନେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇପାରିବେ। ଏଭଳି କ୍ଷେତ୍ରରେ ସେମାନଙ୍କ ବିରୋଧରେ ଦଳବଦଳ ନିରୋଧ ଆଇନ ଲାଗୁ ହୋଇପାରିବ ନାହିଁ।

ରବିବାର ଇସ୍ଲାମାବାଦରେ ପିଟିଆଇର ଏକ ବିଶାଳ ରାଲି ଆୟୋଜିତ ହେଉଛି। ଏହି ରାଲିକୁ ସମ୍ବୋଧନ କରିବା ଅବସରରେ ଇମ୍ରାନ ଇସ୍ତଫା ବିଷୟ ଘୋଷଣା କରିବାର ସମ୍ଭାବନା ରହିଛି। ଏଭଳି ସଙ୍କେତ ଦେଇଛନ୍ତି ଦେଶର ଗୃହମନ୍ତ୍ରୀ ଶେଖ ରସିଦ। ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରଠାରୁ ତାଙ୍କ ଲୋକପ୍ରିୟତା ବଢ଼ିଛି ବୋଲି କହିଛନ୍ତି ଶେଖ ରସିଦ।