ପଦ୍ମପୁରରେ ବିଜେଡି ଜିତିବ କହିଲେ ଖାରବେଳ
ପଦ୍ମପୁରରେ ବିଜେଡି ଜିତିବ କହିଲେ ଖାରବେଳ
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ କଡ଼ାସୁରକ୍ଷା ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ମତଦାନ ହାର ୮୧.୨୯ ପ୍ରତିଶତ ମତଦାନ । ଏହାସହିତ ବିଜେଡି, ବିଜେପି ଓ କଂଗ୍ରେସର ୩ ପ୍ରାର୍ଥୀଙ୍କ ସମେତ ମୋଟ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତା ୮ତାରିଖରେ ୧୪ଟି ଟେବୁଲରେ ପ୍ରାୟ ୨୩ ରାଉଣ୍ଡରେ ଏହି ଭୋଟ୍ ଗଣତି କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିି ହୋଇଛି । ପଦ୍ମପୁର ଉପ-ନିର୍ବାଚନ ଶେଷ ହୋଇଥିବା ବେଳେ କିଏ ବିଜୟ ଟୀକା ପିନ୍ଧିବ ତାହା ଉପରେ ପୂରା ରାଜ୍ୟର ନଜର ରହିଛି । କାରଣ ପଦ୍ମପୁର ଉପ-ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ରୋଚକ ମୋଡକୁ ନେଇପାରେ । ତେବେ ଫଳାଫଳ ଆସିବା ପୂର୍ବରୁ ରାଜ୍ୟ ରାଜନୀତିର ଦୁଇ ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଓ ଦାମୋଦର ରାଉତ ବଡ ବୟାନ ଦେଇଛନ୍ତି । ଯାହା ବିଜେଡି ଶିବିରକୁ କିଛି ମାତ୍ରାରେ ଆଶ୍ୱସ୍ତ କରିପାରେ।
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କହିଛନ୍ତି, ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ଜିତିବ । ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ କିନ୍ତୁ ଅଳ୍ପ ବ୍ୟବଧାନରେ ବିଜେଡି ଜିତିବ ବୋଲି କହିଛନ୍ତି ଖାରବେଳ । ଅର୍ଥବଳ ଓ ସରକାରୀ କଳ ବଳରେ ବିଜେଡି ଏହି ନିର୍ବାଚନରେ ଅଧିକ ମାତ୍ରାରେ ପ୍ରଭାବ ପକାଇଛି । ସେହିଭଳି ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, ବାପାଙ୍କ ଭଳି ଅଧିକ ଭୋଟ ପାଇ ଜିତିବେ ବର୍ଷା । ବିଜେଡି ପ୍ରାର୍ଥୀ ଯଥେଷ୍ଟ ଅଧିକ ଭୋଟରେ ଜିତିବେ ବୋଲି ଦାମୋଦର ରାଉତ କହିଛନ୍ତି ।
ଉଭୟ ବିଜେପି ଓ ବିଜେଡି ପାଇଁ ଏହି ନିର୍ବାଚନର ଫଳାଫଳ ବେଶ ଗୁରୁତ୍ୱବହନ କରୁଛି । ଧାମନଗର ଉପ-ନିର୍ବାଚନରେ ବିଜୟୀ ହେବା ପରେ ପଦ୍ମପୁର ଉପ-ନିର୍ବାଚନରେ ବିଜୟ ହେବା ପାଇଁ ବିଜେପି ଜି ଜାନ୍ ଲଗାଇଦେଇଥିବା ବେଳେ ବିଜେଡି ପାଇଁ ଏହି ନିର୍ବାଚନର ଫଳାଫଳ ସମ୍ମାନର ପ୍ରଶ୍ନ ପାଲଟିଛି । କାରଣ ଏହି ଆସନ ବିଜେଡି ହାତରେ ଥିଲା । ତେଣୁ ଯଦି ଫଳାଫଳ ବିଜେଡି ସପକ୍ଷରେ ନ ଯାଏ ତେବେ ଏହା ରାଜ୍ୟ ରାଜନୀତିର ମାହୋଲକୁ ବଦଳାଇବାର ଯଥେଷ୍ଟ ସମ୍ଭାବନା ରଖୁଥିବା ନେଇ ଚର୍ଚ୍ଚା ହେଉଛି ।




admin 