ପଞ୍ଚଭୂତରେ ମିଶିଲେ ବିଷ୍ଣୁ ସେଠୀ
ପଞ୍ଚଭୂତରେ ମିଶିଲେ ବିଷ୍ଣୁ ସେଠୀ
ଭଦ୍ରକ : ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀର। ଭଦ୍ରକ ତିହିଡି ସ୍ଥିତ ପୈତୃକ ଗାଁ ମଙ୍ଗରାଜପୁର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ସୂର୍ୟ୍ୟବଂଶୀ ସୂରଜ ମୁଖାଗ୍ନି ଦେଇଛନ୍ତି।
ସୂଚନା ଅନୁଯାୟୀ, ସୋମବାର ଭୋର୍ ସମୟରେ ୬୧ ବର୍ଷ ବୟସରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ହୋଇଥିଲା। ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ୟ୍ୟାଳୟକୁ ମରଶରୀର ଅଣାଯାଇଥିଲା। ଏହାପରେ ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ପାର୍ଥୀବ ଶରୀରକୁ ଭଦ୍ରକ ନିଆଯାଇଥିଲା। ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା ବେଳେ ବହୁ କର୍ମୀ, ରାଜନେତା ଓ ସମର୍ଥକ ତାଙ୍କ ଶେଷ ଦର୍ଶନ କରିଥିଲେ। ପରେ ଜିଲ୍ଲା ବିଜେପି କାର୍ୟ୍ୟାଳୟ ଓ ଭଦ୍ରକ ସ୍ଥିତ ବାସଭବନକୁ ପାର୍ଥୀବ ଶରୀର ଅଣାଯାଇଥିଲା ।ବିଷ୍ଣୁ ସେଠୀ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଭଦ୍ରକ । ପରେ ନିଜ ପୈତୃକ ଘର ତିହିଡି ସ୍ଥିତ ମଙ୍ଗରାଜପୁରକୁ ଶୋଭାଯାତ୍ରାରେ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀର ନିଆଯାଇଥିଲା । ମଙ୍ଗରାଜପୁର ଶ୍ମଶାନରେ ପୁଅ ସୂର୍ୟ୍ୟବଂଶୀ ସୁରଜ ବାପାଙ୍କୁ ମୁଖାଗ୍ନି ଦେଇଥିଲେ।




admin 