ପଙ୍ଗପାଳକୁ ମାରିବ ଅଗ୍ନିଶମ ବିଭାଗ

ପଙ୍ଗପାଳକୁ ମାରିବ ଅଗ୍ନିଶମ ବିଭାଗ

ପଙ୍ଗପାଳକୁ ମାରିବ ଅଗ୍ନିଶମ ବିଭାଗ
କଟକ: ଓଡ଼ିଶାକୁ ଯେକୌଣସି ମୁହୂର୍ତ୍ତରେ ପଙ୍ଗପାଳ ପଶିଆସିବାର ଆଶଙ୍କା ରହିଛି । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଓଡ଼ିଶାକୁ ୩ଟି ଶ୍ରେଣୀଭୁକ୍ତ କରାଯାଇଛି । ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲାର ହାଇରିସ୍କ ବା ଅଧିକ ବିପଦ ଥିବା ଜିଲ୍ଲାର ୯୮ଟି ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟ ଜାରି କରାଯାଇଛି । ଏମାନେ ଅଗ୍ନିଶମ ଗାଡ଼ି ସହିତ ସଜାଗ ରହିବେ । ଅଗ୍ନିଶମ ଗାଡ଼ି ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ । ଏହା ଦ୍ୱାରା ପଙ୍ଗପାଳ ତଳକୁ ନ ଓହ୍ଲାଇ ନିଜ ଗତିପଥ ବଦଳାଇବାକୁ ବାଧ୍ୟ ହେବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ଏବେ ମଧ୍ୟପ୍ରଦେଶ ମୁହାଁ ହୋଇଛନ୍ତି । ପବନର ଦିଗ ବଦଳିଲେ କୌଣସି ମୁହୂର୍ତ୍ତରେ ସେମାନେ ଓଡ଼ିଶା ଆଡ଼କୁ ମାଡ଼ି ଆସିପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଗ୍ନିଶମ ବିଭାଗ ଡିଜି ଆୟୋଜିତ ବୈଠକ ପରେ ରାଜ୍ୟକୁ ହାଇ ରିସ୍କ, ମିଡିୟମ ରିସ୍କ ଓ ଲୋ ରିସ୍କ ଜୋନରେ ଶ୍ରେଣୀଭୁକ୍ତ କରାଯାଇଛି । ହାଇରିସ୍କ ଜୋନରେ ନବରଙ୍ଗପୁର, ନୂଆପଡ଼ା, କଳହାଣ୍ଡି, ମାଲକାନଗିରି, କୋରାପୁଟ, ବରଗଡ଼, ଝାରସୁଗୁଡ଼ା, ରାୟଗଡ଼ା ରହିଛି । ମଧ୍ୟମ ରିସ୍କ ବା ମଧ୍ୟମ ବିପଦରେ କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ରହିଛି । ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାହୀ କହିଛନ୍ତି ଯେ ଏବେ ତିନିଶ୍ରେଣୀରେ ବିଭକ୍ତ ହୋଇଥିବା ଜିଲ୍ଲାର ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟ କରାଯାଇଛି । ଆବଶ୍ୟକ ପଡ଼ିଲେ ଅନ୍ୟ ଜିଲ୍ଲାର ଅଗ୍ନିଶମ ଅଧିକାରୀଙ୍କୁ ସେଠାକୁ ପଠାଇ ଦିଆଯିବ ।