ନରେଶଙ୍କ ଫାର୍ମହାଉସରେ ଗୁଜରାଟ କଂଗ୍ରେସ

ନରେଶଙ୍କ ଫାର୍ମହାଉସରେ ଗୁଜରାଟ କଂଗ୍ରେସ

ନରେଶଙ୍କ ଫାର୍ମହାଉସରେ ଗୁଜରାଟ କଂଗ୍ରେସ
ରାଜକୋଟ: ହାର୍ଦ୍ଧିକ ପଟେଲ କଂଗ୍ରେସ ଛାଡ଼ିବା ପରେ ଗୁଜରାଟରେ ଜଣେ ପ୍ରତିଷ୍ଠିତ ପଟେଲ ଚେହେରାଙ୍କୁ ଦଳରେ ସାମିଲ କରିବାକୁ ଉଦ୍ୟମ ଜୋରଦାର କରିଦେଇଛି କଂଗ୍ରେସ । ଗତକାଲି ହାର୍ଦ୍ଧିକ କଂଗ୍ରେସକୁ ବାଏବାଏ କରିଥିବାବେଳେ ଆଜି କଂଗ୍ରେସ ନେତାମାନେ ପହଞ୍ଚିଯାଇଛନ୍ତି ପଟେଲ ସମ୍ପ୍ରଦାୟର ବର୍ତ୍ତମାନର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତଥା ପ୍ରତିଷ୍ଠିତ ଉଦ୍ୟୋଗପତି ନରେଶ ପଟେଲଙ୍କ ଘରେ । ରାଜକୋଟ ସହର ଉପକଣ୍ଠ ଥିବା ନରେଶଙ୍କ ଫାର୍ମହାଉସରେ ରାଜ୍ୟ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା, ପିସିସି ସଭାପତି ଜଗଦୀଶ ଠାକୁରଙ୍କ ସମେତ କିଛି ବିଧାୟକ ପହଞ୍ଚିଥିଲେ । ଏମିତିକି ସେମାନେ ଏକାଠି ବସି ବ୍ରେକଫାଷ୍ଟ କରିଛନ୍ତି । ଏହି ଅବସରରେ ନରେଶଙ୍କ ସହ ପ୍ରଭାରୀ ରଘୁ ଶର୍ମା ପ୍ରାୟ ୨ ଘଣ୍ଟା କାଳ ଆଲୋଚନା କରିଛନ୍ତି । ଉଭୟ ପକ୍ଷରୁ ବୈଠକ ନେଇ ସୂଚନା ଦିଆଯାଇଥିଲେ ବି ଆଲୋଚନା ବାବଦରେ କେହି ସ୍ପଷ୍ଟ ମତ ରଖିନାହାନ୍ତି । ଗୁଜରାଟର ବିଶିଷ୍ଟ ଉଦ୍ୟୋଗପତି ତଥା ଲୋକପ୍ରିୟ ପାଟିଦାର ନେତା ଏବଂ ଖୋଦାଲଧାମ ଟ୍ରଷ୍ଟର ମୁଖ୍ୟ ନରେଶ ପଟେଲ । ବିଗତ କିଛି ବର୍ଷ ଭିତରେ ନରେଶ ପଟେଲଙ୍କ ଲୋକପ୍ରିୟତା ଗୁଜରାଟରେ ଏମିତି ବଢ଼ିଯାଇଛି ଯେ ସବୁ ଦଳ ନରେଶଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କରିଛି । କଂଗ୍ରେସ, ଆମ୍ ଆଦମି ପାର୍ଟି ଏବଂ ବିଜେପି ମଧ୍ୟ ନରେଶଙ୍କୁ ଆମନ୍ତ୍ରଣ କରିଛି ନିଜ ଦଳରେ ଯୋଗ ଦେବା ପାଇଁ । ନରେଶ ପଟେଲ ରାଜନୀତିରେ ଯୋଗ ଦେବା ନେଇ ବିଚାର କରୁଛନ୍ତି ନେଇ ବୋଲି କହିବା ପରଠୁ ଗୁଜୁରାଟ ରାଜନୀତି ଚଳଚଂଚଳ ହୋଇଛି । କଂଗ୍ରେସ, ବିଜେପି ଓ ଆମ ଆଦମି ପାର୍ଟି ତାଙ୍କୁ ନିଜ ଦଳକୁ ନେବା ଲାଗି ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ପ୍ରଶାନ୍ତ କିଶୋର ମଧ୍ୟ ନରେଶଙ୍କୁ କଂଗ୍ରେସରେ ମିଶାଇବା ଲାଗି ପ୍ରସ୍ତାବ ଦେଇଥିବା କୁହାଯାଉଥିଲା । ଏପରିକି ନରେଶ ମଧ୍ୟ ପ୍ରଶାନ୍ତ ସହ ଏ ବାବଦରେ ଆଲୋଚନା କରିଥିଲେ । ମାତ୍ର କଂଗ୍ରେସ ଓ ପ୍ରଶାନ୍ତଙ୍କ ମଧ୍ୟରେ ବୁଝାମଣା ନ ହେବାରୁ ଏ କଥା ଆଗେଇପାରିଲା ନାହିଁ । ସେବେଠାରୁ ନରେଶ ପଟେଲ କେଉଁ ଦଳକୁ ଯିବେ, ସେ ନେଇ ଭିନ୍ନଭିନ୍ନ ଆକଳନ କରାଯାଉଛି । ନିକଟରେ ଏକ କାର୍ଯକ୍ରମରେ ବିଜେପି ରାଜ୍ୟ ସଭାପତିଙ୍କ ସହ ନରେଶ ମଂଚରେ ଦେଖାଯିବା ପରେ ସେ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହୋଇଥିଲା । ଏବେ ସେ କଂଗ୍ରେସକୁ ଯାଇପାରନ୍ତି ବୋଲି କୁହାଯାଉଛି । ଏପରିକି ନରେଶ ପଟେଲ କଂଗ୍ରେସକୁ ଆସିବା ସମ୍ଭାବନା ଶୁଣି ହାର୍ଦ୍ଧିକ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ବି ହେଉଛି । ମାତ୍ର ହାର୍ଦ୍ଧିକ ଏହାକୁ ଖଣ୍ଡନ କରିଛନ୍ତି। ଏପରିକି ଗତ ରବିବାର ଦିନ ହାର୍ଦ୍ଧିକ ମଧ୍ୟ ନରେଶଙ୍କୁ ଭେଟିଥିଲେ । ତେଣୁ ସବୁ କିଛି ସସପେନ୍ସରେ ରହିଛି । ପଟେଲ ସମ୍ପ୍ରଦାୟ ରାଜ୍ୟ ରାଜନୀତିରେ ସର୍ବାଧିକ ପ୍ରଭାବ ରଖୁଥିବାବେଳେ ନରେଶ ପଟେଲ ଏବେ ଏହି ସମ୍ପ୍ରଦାୟର ସବୁଠୁ ବଡ଼ ଚେହେରା ଭାବେ ପରିଚିତ । ତାଙ୍କ ସହ ବଡ଼ ଭୋଟ ବ୍ୟାଙ୍କ ଥିବା କୁହାଯାଏ । ତେଣୁ ସେ ଯେଉଁ ଦଳକୁ ଯିବେ, ତାହା ସେ ଦଳକୁ ଫାଇଦା ଦେବ । ନରେଶ ପଟେଲଙ୍କୁ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଚାର କମିଟି ଅଧ୍ୟକ୍ଷ ପଦ ଦେବା ନେଇ ବିଚାର କରୁଛି । ହେଲେ ନରେଶ ନିଜ କାର୍ଡ ଖୋଲିନାହାନ୍ତି । ଆଜି କଂଗ୍ରେସ ନେତାଙ୍କ ସହ ତାଙ୍କର କିଛି ବୁଝାମଣା ହୋଇଛି କି ନାହିଁ, ତାହା ଜଣାପଡ଼ିନାହିଁ । ତଥାପି କଂଗ୍ରେସ ତାଙ୍କୁ ନିଜ ଦଳକୁ ଆଣିବା ପାଇଁ ପ୍ରୟାସ ଜୋର କରିଛି । ଅପରପକ୍ଷରେ ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ମଧ୍ୟ ନରେଶଙ୍କୁ ବିଜେପିରେ ମିଶାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ଆମ ଆଦମ ପାର୍ଟି ବି ତାଙ୍କୁ ନିମନ୍ତ୍ରଣ କରୁଛି ଦଳରେ ମିଶିବା ପାଇଁ । ନରେଶ କାଳେ କଂଗ୍ରେସକୁ ଯିବେ, ସେଇ ଆଶଙ୍କାରେ ପଟେଲ ସମ୍ପ୍ରଦାୟର ଅନ୍ୟତମ ବଡ଼ ନେତା ହାର୍ଦ୍ଧିକଙ୍କୁ ବିଜେପି ଆଗୁଆ ନିଜ ଆଡ଼କୁ ନେବା ଲାଗି ଉଦ୍ୟମ ଚଳାଇଛି । ହାର୍ଦ୍ଧିକ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଛି ।