ନବୀନଙ୍କୁ ପ୍ରଶଂସାରେ ପୋତିଲେ ଦିଲୀପ

ନବୀନଙ୍କୁ ପ୍ରଶଂସାରେ ପୋତିଲେ ଦିଲୀପ

ନବୀନଙ୍କୁ ପ୍ରଶଂସାରେ ପୋତିଲେ ଦିଲୀପ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଶ୍ରୀଜଗନ୍ନାଥ, ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସାହସିକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏହିଭଳି ଢ଼ଙ୍ଗରେ ପ୍ରଶଂସା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ଗୋପାଳପୁର ବେଳାଭୂମି ମହୋତ୍ସବର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଶ୍ରୀ ରାୟ କହିଥିଲେ ଯେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆଜି ଓଡ଼ିଶାର ରୂପରେଖ ବଦଳିଛି । ବିଶ୍ୱ ଦରବାରେ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି । ଆଉ ଗତ ବର୍ଷ ହକି ବିଶ୍ୱ କପ ଭଳି ମେଗା ଇଭେଣ୍ଟରେ ଆୟୋଜନ ଓଡ଼ିଶାର ଗରିମାକୁ ଆହୁରି ବଢ଼ାଇ ଦେଇଛି । କାରଣ ପ୍ରତିଯୋଗିତା ଆୟୋଜନ ପାଇଁ ବିଶ୍ୱର ବହୁ ଦେଶ ଓ ଭାରତର ବିଭିନ୍ନ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଓଡ଼ିଶା ସଭିଙ୍କୁ ଚକିତ କରି ଏହାର ସଫଳ ଆୟୋଜନ କରିପାରିଥିଲା । ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ । ସେହିପରି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୋପାଳପୁର ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟହ ଗୋପାଳପୁରକୁ ଯେଭଳି ୫ ହଜାର ପର୍ଯ୍ୟଟକଙ୍କ ଆଗମନ ହେବ ସେ ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟସିଂହ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ଡିଆଇଜି, ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତି ସତ୍ତ୍ୱେ ସମସ୍ତଙ୍କ ନଜର ଉପରୋକ୍ତ ଦୁଇ ନେତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା । ପୂର୍ବତନ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ମଞ୍ଚରେ ଦେଖିବାକୁ ମିଳିଥିଲା । ସାଧାରଣ ନିର୍ବାଚନ ପରେ ସିଦ୍ଧାନ୍ତଙ୍କ ଗଞ୍ଜାମ ଜିଲ୍ଲାରେ ଏହା ପ୍ରଥମ କାର୍ଯ୍ୟକ୍ରମ କୁହାଯାଉଛି ।