ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି

ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି

 ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି
ପୁରୀ : ଗଜପତି ମହାରାଜ ଦିବ୍ୟସିଂହ ଦେବ ରବିବାର ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି । ଗଜପତି ମହାରାଜ ଝିଅ, ଜ୍ୱାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀଙ୍କ ସହ ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁନର୍ବାର ଦକ୍ଷିଣଦ୍ୱାର ଦେଇ ଫେରି ଆସିଛନ୍ତି । ରବିବାର ମହାରାଜ ଘଣ୍ଟାଏରୁ ଅଧିକ ସମୟ ଶ୍ରୀମନ୍ଦିରରେ ବିତାଇଥିଲେ । ଦକ୍ଷିଣଦ୍ୱାର ଦେଇ ପ୍ରବେଶ ପରେ ମହାରାଜ ପ୍ରଥମେ ବଟଗଣେଶଙ୍କୁ ଦର୍ଶନ କରିଥିଲେ । ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ । ସେଠାରେ ପ୍ରଥମେ ବଡ଼ଠାକୁର ବଳଭଦ୍ର, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶେଷରେ ମା' ସୁଭଦ୍ରାଙ୍କୁ ପ୍ରଣାମ କରି ରତ୍ନ ସିଂହାସନ ପରିକ୍ରମା କରିଥିଲେ । ଏହି ସମୟରେ ଝିଅ, ଜ୍ୱାଇଁ ଓ ଅନ୍ୟମାନେ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ବେହରଣ ଦ୍ୱାର ଦେଇ ବାହାରକୁ ବାହାରିବା ପରେ ବେଢ଼ା ପରିକ୍ରମା କରିଥିଲେ । ମା' ବିମଳା ଓ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ ପରେ ମୁକ୍ତିମଣ୍ଡପସ୍ଥିତ ଆଦି ନୃସିଂହଙ୍କୁ ଦର୍ଶନ କରିଥିଲେ । ଫେରିବାବେଳେ ପୁନର୍ବାର ବଟଗଣେଶଙ୍କୁ ଦର୍ଶନ କରି ଫେରିଥିଲେ । ସୂଚନାଥାଉକି, ଯେଉଁ ସମୟରେ ଗଜପତି ମହାରାଜ ରାଜନୀତି କରିବାକୁ ଶ୍ରୀମନ୍ଦିର ଯାଇଥାନ୍ତି, ସେହି ସମୟରେ ସେ ସିଂହଦ୍ୱାର ଦେଇ ଯାଇଥାନ୍ତି । ଛେରା ପହଁରାଠାରୁ ଆରମ୍ଭ କରି ଆଦି ସେବକ ଭାବେ ଯାହାକିଛି ସେବା କାର୍ଯ୍ୟ କରିବାକୁ ଯାଇଥାନ୍ତି, ସେହି ସମୟରେ ସିଂହଦ୍ୱାର ଦେଇ ଯାଇଥାନ୍ତି । ଅନ୍ୟ ସମୟରେ ଦକ୍ଷିଣଦ୍ୱାର ଦେଇ ଗଜପତି ମହାରାଜ ଶ୍ରୀମନ୍ଦିରକୁ ଯାଇଥାନ୍ତି ଓ ସେହି ଦ୍ୱାର ଦେଇ ପୁନର୍ବାର ଫେରିଥାନ୍ତି ।