ନବୀନ ଦେଲେ ଜିରୋ କାଜୁଆଲିଟି ମନ୍ତ୍ର
ନବୀନ ଦେଲେ ଜିରୋ କାଜୁଆଲିଟି ମନ୍ତ୍ର
୧୧ ଜିଲ୍ଲାପାଳଙ୍କ ସହ କଥା ହେଲେ
ଅପରାହ୍ନ ସୁଦ୍ଧା ସରିବ ସ୍ଥାନାନ୍ତରଣ କାମ
ଭୁବନେଶ୍ୱର: ପୁଣି ଥରେ ମିଶନ ଜିରୋ କାଜୁଆଲିଟି ମନ୍ତ୍ର ନେଇ ବାତ୍ୟା ମୁକାବିଲାରେ ଲାଗିପଡ଼ିଛି ଓଡ଼ିଶା । ବିପର୍ଯ୍ୟୟ ମୁକାବିଲାର ହିରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବି ସେଇ ମନ୍ତ୍ର ଦେଇଛନ୍ତି ପ୍ରଶାସନିକ ଟିମକୁ । ନୂଆଦିଲ୍ଲୀରୁ ସମୀକ୍ଷା କରି କହିଛନ୍ତି, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ପ୍ରତ୍ୟେକ ଜୀବନ ବଞ୍ଚାଇବା ପାଇଁ ବ୍ୟବସ୍ଥା କର । ଯାହା ଆବଶ୍ୟକ ପଦକ୍ଷେପ ନିଅ । ତଳି ଅଂଚଳ, କଚ୍ଚା ଘରେ ଥିବା ପରିବାର ଓ ପାହାଡ଼ିଆ ଅଂଚଳ ତଳୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କର । ୧୧ ଜିଲ୍ଲାପାଳଙ୍କୁ ଏଭଳି ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ବାତ୍ୟା ମୁକାବିଲା ସମୀକ୍ଷା କରିଛନ୍ତି । ଏସଆରସି ପ୍ରଦୀପ କୁମାର ଜେନା ସମସ୍ତ ପ୍ରସ୍ତୁତିର ରିପୋର୍ଟ ରଖିଥିଲେ । ବାତ୍ୟା ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ ସହ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରୁ ଜଣାପଡ଼ିଛି, ସକାଳ ୮ଟା ସୁଦ୍ଧା ୫ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅପରାହ୍ନ ସାଢେ଼ ୪ଟା ସୁଦ୍ଧା ସ୍ଥାନାନ୍ତରଣର କାମ ସାରିବାକୁ କୁହାଯାଇଛି । ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରାଯାଇଛି । ବିଦୁ୍ୟତ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ପବନ, ବର୍ଷା କମିବା ମାତ୍ରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଲୋକଙ୍କୁ ମାଇକ ପ୍ରଚାର ମାଧ୍ୟମରେ ସଚେତନ କରିବାକୁ ମୁ୍ଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟା କିମ୍ବା ବର୍ଷା ସମୟରେ କେହି ପଦାକୁ ନ ଯିବାକୁ ଏସଆରସି ନିବେଦନ କରିଛନ୍ତି । ରାସ୍ତାରେ ପାଣି ଚାଲିଥିଲେ ସେ ବାଟ ଦେଇ ପାର ନେବାକୁ ଅନୁରୋଧ କରାଯାଇଛି । ଏବେ କୋଭିଡ୍ ବିପଦ ଟଳିନଥିବାରୁ ସ୍ଥାନାନ୍ତରଣବେଳେ ସାମାଜିକ ଦୁରତା ରକ୍ଷା କରାଯିବ । ଗୋଟିଏ ଆଶ୍ରୟ କେନ୍ଦ୍ରରେ ଅଧିକ ଲୋକଙ୍କୁ ରଖାଯିବନି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ ବୋଲି ଏସଆରସି କହିଛନ୍ତି ।




admin 