ରାତିରେ ମାଡ଼ ହେବ ଗୋଲାପ ଜଳ

ରାତିରେ ମାଡ଼ ହେବ ଗୋଲାପ ଜଳ

ରାତିରେ ମାଡ଼ ହେବ ଗୋଲାପ ଜଳ


ଭୁବନେଶ୍ୱର: ଗୁଲାବ (ଗୁଲ୍ଆବ୍) ବାତ୍ୟା ଆଜି ରାତିରେ ଗୋପାଳପୁର-କଳିଙ୍ଗପଟନମ ମଧ୍ୟରେ ଉପକୂଳ ଛୁଇଁବ । ସମ୍ଭବତଃ ଆନ୍ଧ୍ରୀ ଶ୍ରୀକାକୁଲମ ପାଖରେ ଏହା ଉପକୂଳରେ ମାଡ଼ ହୋଇପାରେ । ରାତି ୮ଟା କିମ୍ବା ୯ଟା ପରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଗୁଲ୍-ଆବ୍ ନାମକରଣ ପାକିସ୍ତାନ କରିଥିବାବେଳେ ଏହାର ଅର୍ଥ ହେଉଛି ଗୋଲାପ ଜଳ । ଅର୍ଥାତ୍ ରାତିରେ ଗୋଲାପ ଜଳ (ଗୁଲାବ) ବାତ୍ୟା ମାଡ଼ ହେବ ଉପକୂଳରେ ।

  ସ୍ଥଳଭାଗ  ଛୁଇଁଲାବେଳକୁ ପବନ ବେଗ ୭୫ରୁ ୮୫ କିମି ବେଗରେ ପବନ ବହିପାରେ । ସର୍ବାଧିକ ବେଗ (ଝଟକା) ୯୫ କିମି ଯାଏ ଯାଇପାରେ । ଓଡ଼ିଶାରେ ସିଧା ମାଡ଼ ନ ହେଲେ ବି ଏହାର ଧାସ ଦକ୍ଷିଣ ଓଡ଼ିଶାକୁ ପ୍ରଭାବିତ କରିବ । ବିଶେଷ କରି ଗଜପତି ଓ ଗଞ୍ଜାମ ଅଧିକ ପ୍ରଭାବିତ ହେବ । ଗଞ୍ଜାମ-ଗଜପତିରେ ୭୫ରୁ ୮୫ କିମି ବେଗରେ ପବନ ବହିପାରେ । ପବନ ଝଟକା ୯୫ କିମି ଛୁଇଁପାରେ । ଖୋର୍ଦ୍ଧା, ପୁରୀ, ରାୟଗଡ଼ା, କୋରାପୁଟରେ ୫୫-୬୫ରୁ ଝଟକା ପବନ ୭୫ ବେଗରେ ବହିପାରେ । ନବରଙ୍ଗପୁର, ମାଲକାନଗିରିରେ ୫୦-୬୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାବେଳେ ଝଟକା ପବନ ୭୦ କିମି ହୋଇପାରେ । 

  ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା-ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର,  ରାୟଗଡ଼ା । କେତେକ ଜାଗାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଏସବୁ ରେଡ୍ ଜୋନରେ ରହିଛି ।  

  ଆଜି ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏ ପବନ ପ୍ରକୋପ ସର୍ବାଧିକ ରହିବ । ଏପରିକି ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କେତେକ ଜାଗାରେ ପବନ ବହିପାରେ ।

ଲଗାଣ ବର୍ଷା ଯୋଗୁ ବନ୍ୟା ଆସିପାରେ ନାଗାବଳୀ, ଋଷିକୂଲ୍ୟା ଓ ବଂଶଧାରାରେ । ଅନ୍ୟପକ୍ଷେ ଗଜପତି, ରାୟଗଡ଼ାରେ ଭୂସ୍ଖଳନ ହୋଇପାରେ ।