ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆ ବିଜୟୀ

ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆ ବିଜୟୀ

ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆ ବିଜୟୀ
ମୋହାଲି: ଦ୍ବିତୀୟ ଟି-୨୦ରେ ବିରାଟ ବାହିନୀର ସହଜ ବିଜୟ। ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ (ଅପରାଜିତ ୭୨ ରନ୍‌, ୫୨ ବଲ, ୪ ଚୌକା, ୩ ଛକା) ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବୁଧବାର ଭାରତ ଜିତିଛି। ଭାରତ ୧୯ ଓଭରରେ ୩ଟି ଓ୍ଵିକେଟ ହରାଇ ୧୫୧ ରନ୍‌ କରିଛି। ଟିମ୍‌ ଦ୍ୱିତୀୟ ଇନିଂସରେ ୧୫୦ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଶିଖର ଧାଓ୍ଵନ ୩୧ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରଛନ୍ତି। ଯୁବ ବ୍ୟାଟସ୍‌ମ୍ୟାନ ଶ୍ରେୟସ ଆୟାର ୧୪ଟି ବଲ ଖେଳି ୧୬ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଅଛି। ୩ ମ୍ୟାଚ୍‌ର ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଶେଷ ମୁକାବିଲା ଆସନ୍ତା ରବିବାର ଖେଳାଯିବ। ଓପନର ରୋହିତ ଶର୍ମା ୧୨ ରନ୍‌ ଓ ଶିଖର ଧାଓ୍ଵନ ୪୦ ରନ୍‌ ଯୋଡ଼ିଥିବା ବେଳେ ଯୁବ ବ୍ୟାଟସ୍‌ମ୍ୟାନ ଋଷଭ ପନ୍ତ ପୁଣି ଥରେ ବିଫଳ ହୋଇଥିଲେ। ପନ୍ତଙ୍କୁ ଚେତାବନୀ ମିଳିଥିବାରୁ ସେ ଚାପଗ୍ରସ୍ତରେ ଖେଳୁଥିଲେ। ୫ଟି ବଲ ସମ୍ମୁଖୀନ ହୋଇ ୪ ରନ୍‌ କରି ପାଭଲିଅନ୍‌ ଫେରିଥିଲେ। ଅଧିନାୟକ ଓ ଓ୍ଵିକେଟକିପର କ୍ୱିଣ୍ଟନ୍‌ ଡି’କକଙ୍କ ଅର୍ଦ୍ଧଶତକ (୫୨ ରନ୍‌, ୩୭ ବଲ, ୮ ଚୌକା) ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ସ୍କୋର ୩୧ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବେ ଦକ୍ଷିଣ ଆଫ୍ରିକା ରିଜା ହେଣ୍ଡ୍ରିକ୍ସଙ୍କୁ ହରାଇଥିଲା। ସେ ୧୧ଟି ବଲ ଖେଳି ୬ ରନ୍‌ କରିଥିଲେ। ଦିପକ ଚହରଙ୍କ ବଲ ଓ୍ଵାସିଂଟନ ସୁନ୍ଦରଙ୍କୁ କ୍ୟାଚ୍‌ ଦେଇ ଓପନର ବ୍ୟାଟସ୍‌ମ୍ୟାନ ପାଭଲିଅନ ଫେରିଥିଲେ। ଯୁବ ବୋଲର ନଭଦୀପ ସାଇନିଙ୍କ ବଲରେ ଅଧିନାୟକ ଡି’କକ୍‌ ଆଉଟ୍‌ ହୋଇଥିଲେ। ସ୍କୋର ୮୮ ରନ୍‌ରେ ଦକ୍ଷିଣ ଆଫ୍ରିକା ନିଜର ଅଧିନାୟକଙ୍କୁ ହରାଇଥିବା ବେଳେ ୯୦ ରନ୍‌ରେ ଆଉଟ୍‌ ହୋଇଥିଲେ ରାସି ଭାନ୍‌ ଡେର୍‌ ଦସେନ୍‌। ସେ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ତେମ୍ବା ବାଭୁମା ୪୩ଟି ବଲ ଖେଳି ୪୯ ରନ୍‌ କରିଥିଲେ। ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଦିପକ ଚହରଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ ଦେଇ ତେମ୍ବା ଆଉଟ୍‌ ହୋଇଥିଲେ। ସେ ଆଉଟ ହେବା ବେଳକୁ ନିଜ ଦଳର ସ୍କୋର ୧୨୬ ରନ୍‌ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ଡେଭିଡ ମିଲର । ଦଳୀୟ ସ୍କୋର ୧୨୯ ରନ୍‌ ଥିବା ବେଳେ ସେ ୧୫ଟି ବଲ ଖେଳି ୧୮ ରନ କରି ପାଭଲିଅନ ଫେରିଥିଲେ। ଆନ୍ଦିଲ ଫେଲୁକ୍ୱାୟୋ ଅପରାଜିତ ୧୦ ରନ୍‌ ଓ ଡ୍ଵାଇନ୍‌ ପ୍ରିଟୋରିୟସ୍‌ ଅପରାଜିତ ୮ ରନ୍‌ କରି ପାଭଲିଅନ ଫେରିଥିଲେ।