ଦୀପବାଳି ପରେ ଅଣନିଶ୍ବାସୀ ଦିଲ୍ଲୀବାସୀ, ନିମ୍ନସ୍ତରରେ ବାୟୁର ମାନ

ଦୀପବାଳି ପରେ ଅଣନିଶ୍ବାସୀ ଦିଲ୍ଲୀବାସୀ, ନିମ୍ନସ୍ତରରେ ବାୟୁର ମାନ

ଦୀପବାଳି ପରେ ଅଣନିଶ୍ବାସୀ ଦିଲ୍ଲୀବାସୀ, ନିମ୍ନସ୍ତରରେ ବାୟୁର ମାନ

ନୂଆଦିଲ୍ଲୀ: କଟକଣାକୁ ବେଖାତିର କଲେ। ସରକାରଙ୍କ ସମସ୍ତ ସସଚେତନତାକୁ ଅଣଦେଖା କଲେ। ଦୀପାବଳି ରାତିସାରା ଫୁଟିଲା ପ୍ରବଳ ବାଣ। ଫଳରେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅତି ଗମ୍ଭୀର ସ୍ତରକୁ ଚାଲି ଯାଇଛି। ଏପରିକି ବିଷାକ୍ତ ହୋଇଯାଇଛି ଦିଲ୍ଲୀର ବାୟୂ। ଅଣନିଶ୍ବାସୀ ହୋଇ ପଡ଼ିଛନ୍ତି ଦିଲ୍ଲୀବାସୀ। 

ଦିଲ୍ଲୀକୁ ପ୍ରଦୂଷଣରୁ ମୁକ୍ତ କରିବାକୁ ଦିଲ୍ଲୀ ସରକାର ଦୀପାବଳିର ବହୁ ପୂର୍ବରୁ ପ୍ରସ୍ତୁତି କରିଥିଲେ। କଡ଼ା କାର୍ୟ୍ୟାନୁଷ୍ଠାନର ଚେତାବନୀ ବି ଦିଆଯାଇଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଆଖି ବୁଜା ଆତସବାଜି।  ଏପରିକି ବାଣ ଫୁଟାଇବା ଉପରେ ଦିଲ୍ଲୀ ସରକାରଙ୍କ ରୋକ ସତ୍ତ୍ୱେ ଲୋକେ ରାସ୍ତା ଉପରେ ବାଣ ଫୁଟାଇବାକୁ ଲାଗିଲେ। ଏହା ପ୍ରଭାବରେ ଗତ ରାତିରେ ଦିଲ୍ଲୀ ଆକାଶ ଧୂଆଁମୟ ହୋଇଯାଇଥିବା ବେଳେ  ଆଜି ସକାଳେ ବି ଆକାଶରେ  ଏକ ବହଳ ଆସ୍ତରଣ ଦେଖିବାକୁ ମିଳିଛି। କେବଳ ଦିଲ୍ଲୀ ନୁହେଁ, ଆଖପାଖ  ନୋଏଡା ଓ ଗାଜିଆବାଦରେ ବି ସ୍ଥିତି ସମାନ।

ଲୋକଙ୍କ ଖାମଖିଆଲି ମନୋଭାବର ପରିଣାମ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସବୁ ରେକର୍ଡ ପାର୍ କରିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଗମ୍ଭୀର ଶ୍ରେଣୀରେ ପହଞ୍ଚି ଯାଇଛି। ଦିଲ୍ଲୀର ବାୟୂ ପୂର୍ବରୁ ଖରାପ ଶ୍ରେଣୀରେ ଥିବା ବେଳେ ଦୀପାବଳି ପରେ ଏହା ଅତି ଗମ୍ଭୀର ଶ୍ରେଣୀକୁ ପଳାଇଛି। ଫଳରେ ବିଷାକ୍ତ ହୋଇଯାଇଛି ଦିଲ୍ଲୀର ପରିବେଶ। ଭିଜିବିଲିଟି ବି ବହୁତ୍ କମି ଯାଇଛି। ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିବାରୁ ପାଖ  ଜିନିଷ ବି ଦୃଶ୍ୟମାନ ହେଉ ନାହିଁ।

ଆଜି ସକାଳୁ ସକାଳୁ ଦିଲ୍ଲୀରେ ବାୟୁର ମାନ ଅତି ବିପଦଜନକ ସ୍ଥିତିରେ ପହଞ୍ଚି ଯାଇଛି।  ଶୁକ୍ରବାର ସକାଳେ ଜନପଥରେ ବାୟୁ ଗୁଣବତ୍ତା  ସ୍ତର ୬୫୫.୦୭ରେ ପହଞ୍ଚିଯାଇଛି। ଏହା ପ୍ରଭାବରେ ବହୁ ଲୋକଙ୍କ ଆଖିରୁ ପାଣି ବୋହୁଥିବା ବେଳେ ଗଳା ଦରଜ ହେବା ପରି ଲକ୍ଷଣ ଦେଖାଦେଉଛି। ଏପରିକି ନିଶ୍ୱାସ ନେବାରେ ବି କଷ୍ଟ ଅନୁଭବ କରୁଛନ୍ତି ଲୋକ ।  ଏହାଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ତଥା ରୋଗୀ ତଥା ଛୋଟ ପିଲା ।  ଗାଜିଆବାଦ ଓ ନୋଏଡାରେ ବି ପରିସ୍ଥିତି ଗମ୍ଭୀର ଶ୍ରେଣୀରେ ପହଞ୍ଚି ଯାଇଥିବା ବେଳେ ସେଠାକାର ବାସିନ୍ଦା ବି ସମାନ ଅଭିଯୋଗ କରିଛନ୍ତି। ଆଗାମୀ ୨ ଦିନ ପର୍ୟ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ ତଥା ଲୋକେ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଚେତାବନୀ ବି ଦିଆଯାଇଛି।