ତିନିଟି ବ୍ୟାଙ୍କରେ ରହିଲା ମହାପ୍ରଭୁଙ୍କ ପାଣ୍ଠି

ତିନିଟି ବ୍ୟାଙ୍କରେ ରହିଲା ମହାପ୍ରଭୁଙ୍କ ପାଣ୍ଠି

ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ବରୋଦାରେ ୨୮୭ କୋଟି, ଏସବିଆଇରେ ରହିଲା ମହାପ୍ରଭୁଙ୍କ ହୁଣ୍ଡି ଟଙ୍କା ପୁରୀ: ଶେଷରେ ଜାତୀୟକରଣ ବ୍ୟାଙ୍କକୁ ଫେରିଛି ମହାପ୍ରଭୁଙ୍କ ଟଙ୍କା । ଏଥିପାଇଁ ଡକାଯାଇଥିବା ଓପନ ବିଡ ବା ଖୋଲା ଟେଣ୍ଡର ପ୍ରକି୍ରୟା ଚୂଡାନ୍ତ ହୋଇଛି । ଫେରିଥିବା ମୋଟ ୩୯୭ କୋଟି ଟଙ୍କାରୁ ସରକାରଙ୍କ ନିୟମ ଅନୁସାରେ ମହାପ୍ରଭୁଙ୍କ ହୁଣ୍ଡି ଟଙ୍କା (ଫାଉଣ୍ଡେସନ ଫଣ୍ଡ) ୧୦୨ କୋଟି ଟଙ୍କା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା କରାଯାଇଛି । ତେବେ ଅବଶିଷ୍ଟ ୨୮୭ କୋଟି ଟଙ୍କା ଜମା କରିବାକୁ ହୋଇଥିବା ଟେଣ୍ଡର ପ୍ରକି୍ରୟାରେ ସର୍ବାଧିକ ସୁଧ ଦେବାକୁ ରାଜି ହୋଇଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦାରେ ଜମା ରଖିବାକୁ ନିଷ୍ପତ୍ତି ହୋଇଛି । ଉଭୟ ବ୍ୟାଙ୍କରେ ସମାନ ଭାବେ ୧୪୩.୫ କୋଟି ଲେଖାଏଁ ଜମା ରହିବ । ଉଭୟ ବ୍ୟାଙ୍କ ୬.୨୬ ହାରରେ ସୁଧ ଦେବାକୁ ରାଜି ହେବା ପରେ ଏହି ନିଷ୍ପତ୍ତି ହୋଇଛି । ଏହି ଟଙ୍କା ବର୍ଷକ ପାଇଁ ଫିକ୍ସଡ ଡିପୋଜିଟ ବା ସ୍ଥାୟୀ ଜମା ଆକାରରେ ରଖାଯିବ । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତ ଡିସେମ୍ବର ୨୦ ତାରିଖରେ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇଥିଲା । ପୂର୍ବ ଟେଣ୍ଡର ପ୍ରକି୍ରୟାରେ ୧୬ଟି ବ୍ୟାଙ୍କକୁ ଆମନ୍ତ୍ରଣ କରାଯାଇଥିଲା । ସେଥିରୁ ୧୧ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ । ମାତ୍ର ୩ଟି ବ୍ୟାଙ୍କ ବୈଷୟିକ କାରଣରୁ କାଟ୍ ଖାଇଯାଇଥିଲେ । ଭାଗ ନେଇଥିବା ୮ଟି ବ୍ୟାଙ୍କରୁ ୟୁନିୟନ ବ୍ୟାଙ୍କ ସର୍ବାଧିକ ୫.୭୫ ପ୍ରତିଶତ ସୁଧର ବିଡ ଦେଇଥିଲା । ମାତ୍ର ଏହା ଆଶାଜନକ ହୋଇନଥିବାରୁ ପ୍ରଥମ ଟେଣ୍ଡରକୁ ବାତିଲ କରାଯାଇଥିଲା । ପରେ ପୁଣି ଥରେ ଟେଣ୍ଡର ଡକାଯାଇଥିଲା । ଓପନ ଟେଣ୍ଡର ମାଧ୍ୟମରେ ସେହି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ୬.୨୬ ସୁଧ ଦେବାକୁ ରାତି ହେବା ପରେ ଏହି ବ୍ୟାଙ୍କକୁ ପ୍ରାଥମିକତା ମିଳିଥିଲା । ସେହିଭଳି ବ୍ୟାଙ୍କ ଅଫ ବରୋଦା ମଧ୍ୟ ୬.୨୬ ସୁଧ ଦେବାକୁ ରାଜି ହେବା ପରେ ତାଙ୍କୁ ଦ୍ୱିତୀୟ ବ୍ୟାଙ୍କ ଭାବେ ଅଧା ଟଙ୍କା ଜମା କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି । ତେବେ ୟେସ ବ୍ୟାଙ୍କରେ ଥିବା ଅବଶିଷ୍ଟ ୧୫୬ କୋଟି ଟଙ୍କା ଫେରିବା ପରେ ଏହା କେଉଁଠି ରହିବ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।