ସମ୍ବିତ ପାତ୍ରଙ୍କ ନାମରେ ଏତଲା
ସମ୍ବିତ ପାତ୍ରଙ୍କ ନାମରେ ଏତଲା
admin
Apr 18, 2019 - 07:32
Updated: Apr 18, 2019 - 07:32
ପୁରୀ: ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କ ବିରୋଧରେ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଛି । ଡାକ୍ତର ପାତ୍ର ନିର୍ବାଚନ ପ୍ରଚାରରେ ଦେବାଦେବୀଙ୍କ ସାହାରା ନେଇଥିବା ଦର୍ଶାଇ ପୁରୀ ସଦର ଫ୍ଲାଇଂ ସ୍କ୍ୱାଡ୍ ଅଧିକାରୀ ବିଜୟ ଜେନାଙ୍କ ଏତଲାକୁ ଭିତି କରି ପୁଲିସ ଏହି ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ବିଜେପି ଏହାକୁ ନିନ୍ଦା କରିବା ସହ ଫ୍ଲାଇଂ ସ୍କ୍ୱାଡ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଫ୍ଲାଇଂ ସ୍କ୍ୱାଡ ଅଧିକାରୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ବିଜେପିର ଏମପି ପ୍ରାର୍ଥୀ ସମ୍ବିତ ପାତ୍ର ନିଜ ପ୍ରଚାର ଗାଡିରେ ଶ୍ରୀଜଗନ୍ନାଥଙ୍କ ନାମକୁ ବ୍ୟବହାର କରିଛନ୍ତି । କେବଳ ସେତିକି ନୁହେଁ, ବିନା ଅନୁମତିରେ ସେ ଶୋଭାଯାତ୍ରା କରିଛନ୍ତି ଯାହା ଏକ ଅପରାଧ । ତେବେ କେବେ ଓ କେଉଁଠି ସେ ଶୋଭାଯାତ୍ରା କରିଥିଲେ ତାର ତଥ୍ୟ ବା ତାରିଖ ଫ୍ଲାଇଂ ସ୍କ୍ୱାଡ ଅଧିକାରୀ ଏତଲାରେ ଦେଇନାହନ୍ତି । କେବଳ ପ୍ରଚାର ଗାଡିରେ ଫଟୋଟିଏ ଦେଇ ବିଜେପି ଅଫିସ ଆଗରେ ଥିବା ସେହି ପ୍ରଚାର ଗାଡିରେ ଶ୍ରୀଜଗନ୍ନାଥଙ୍କ ନାମ ବ୍ୟବହାର କରାଯାଇଥିବା ଦର୍ଶାଇଛନ୍ତି । ଏହି ଏତଲାକୁ ପୁଲିସ ଗ୍ରହଣ କରି ଏକ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ କରିବ ବୋଲି କହିଛନ୍ତି ସମୁଦ୍ରକୂଳ ଥାନା ଅଧିକାରୀ । ଏ ସମ୍ପର୍କରେ ଫ୍ଲାଇଂ ସ୍କ୍ୱାଡ ଅଧିକାରୀ ବିଜୟ ଜେନା କହିଛନ୍ତି, ଏତଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଥାନାକୁ ଯାଇଥିବା ଏତଲାରେ କଣ ଲେଖାଯାଇଛି ତାହା କୁହାଯାଇ ପାରିବ ନାହିଁ । ଏହା ଗୋପନୀୟ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିଜୟଙ୍କ ଭୂମିକାକୁ ନେଇ ବେଶ କିଛିଦିନ ହେଲା ଅଭିଯୋଗ ଜୋର ଧରିଛି । ଫ୍ଲାଇ ସ୍କ୍ୱାଡରେ ଥିଲେ ମଧ୍ୟ ବିଜେପି ବିରୋଧରେ ସେ ଆକ୍ରୋଶମୂଳକ ପଦକ୍ଷେପ ନେଉଥିବା ବିଜେପି ସମର୍ଥକମାନେ କହିଛନ୍ତି । ବିଜେପି ଯୁବନେତା ଶାଶ୍ୱତ ମହାପାତ୍ର କହିଛନ୍ତି, ସମ୍ବିତଙ୍କୁ ବଦନାମ କରିବା ପାଇଁ ଏହା ଏକ ଚାଲ । ଅଫିସରମାନେ ଏଠାରେ ପକ୍ଷପାତିତା କରୁଛନ୍ତି । ଯାହାକୁ ନେଇ ଆମେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ । ସୂଚନାଯୋଗ୍ୟ, ସମ୍ବିତ ଶ୍ରୀଜଗନ୍ନାଥଙ୍କ ମୂର୍ତି ଧରି ଶୋଭାଯାତ୍ରା କରୁଥିବା ଓ ଆଚରଣ ବିଧି ଲାଗୁ ହେବା ପରେ ବିନା ଅନୁମତିରେ ରାଲି କରୁଥିବା ନେଇ ଜିଲ୍ଲା ରିଟଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସମ୍ବିତଙ୍କୁ ନିକଟରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସମ୍ବିତଙ୍କୁ ନୋଟିସ ଜାରି କରିଥିଲେ ଜିଲ୍ଲା ରିଟଣ୍ଣିଂ ଅଫିସର ।