ଡାଆଣୀ ସନେ୍ଦହରେ ପୁଣି ମୟୂରଭଞ୍ଜରେ ମୁଣ୍ଡ ଗଡିଛି
ଡାଆଣୀ ସନେ୍ଦହରେ ପୁଣି ମୟୂରଭଞ୍ଜରେ ମୁଣ୍ଡ ଗଡିଛି

କରଞ୍ଜିଆ: ଡାଆଣୀ ସନେ୍ଦହରେ ପୁଣି ମୟୂରଭଞ୍ଜରେ ମୁଣ୍ଡ ଗଡିଛି । ଏଥର ଜଣେ ବୃଦ୍ଧାଙ୍କୁ ଅତି ବୀଭତ୍ସ ଭାବେ ମୁଣ୍ଡ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ବୃଦ୍ଧାଙ୍କର କଟାମୁଣ୍ଡ ମିଳିପାରିନାହିଁ । କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି । କରଞ୍ଜିଆ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ କରଞ୍ଜିଆ ଥାନା ପାଟବିଲ ପଞ୍ଚାୟତ ବାଲିଭୋଳ ଗ୍ରାମର ସ୍ୱର୍ଗତ ଚୈତନ୍ୟ ହାଁସଦାଙ୍କ ପତ୍ନୀ ଯମୁନା ହାଁସଦା (୬୩) ଗତକାଲି ପୁଅବୋହୂଙ୍କ ସହ ଚଣା ବିକିବା ପାଇଁ ନିକଟସ୍ଥ ହାଟକୁ ଯାଇଥିଲେ । ପୁଅ ଲକ୍ଷ୍ମଣ ପାଖରୁ ୧୦ ଟଙ୍କା ନେଇ ହାଟରେ ହାଣ୍ଡିଆ ପିଇଥିଲେ । ନିଶା ହୋଇଯିବାରୁ ହାଟ ନିକଟ ପଡ଼ିଆରେ ଶୋଇପଡିଥିଲେ । ହାଟ ସରିବା ପରେ ପୁଅ ବୋହୂ ତାଙ୍କୁ ଉଠାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେ ଉଠିନଥିଲେ । ବରଂ ପରେ ଘରକୁ ଯିବେ ବୋଲି କହିବାରୁ ପୁଅ ବୋହୁ ଘରକୁ ପଳାଇଥିଲେ । ହେଲେ ରାତିରେ ଆଉ ଘରକୁ ଫେରିନଥିଲେ ଯମୁନା । ସକାଳେ ହାଟ ନିକଟ ପଡ଼ିଆରେ ଯମୁନାଙ୍କ ମସ୍ତକବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ କରଞ୍ଜିଆ ଥାନା ଆଇଆଇସି ରଞ୍ଜନ ସେଠୀ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ । ଯମୁନାଙ୍କୁ କିଛି ଲୋକ ଡାଆଣୀ ବୋଲି କହୁଥିଲେ । ସପ୍ତାହେ ତଳେ ସେ ଜାମୁନୀଳିଆ ଗାଁକୁ ଏକ ଶୁଦ୍ଧିକି୍ରୟା କାମରେ ଯାଇଥିବା ବେଳେ ସେଠାରେ କିଛି ଲୋକଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏମିତିକି ଦୁଇ ଦିନ ତଳେ ଯମୁନାଙ୍କୁ ପ୍ରାଣାନ୍ତକ ଆକ୍ରମଣ ମଧ୍ୟ କରାଯାଇଥିଲା ବୋଲି ତାଙ୍କ ପୁଅ ଲକ୍ଷ୍ମଣ କହିଛନ୍ତି । ଲକ୍ଷ୍ମଣଙ୍କ ବୟାନକୁ ଭିତ୍ତି କରି ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏଯାଏ ଯମୁନାଙ୍କର କଟାମୁଣ୍ଡ ମିଳିନାହିଁ । ଏ ନେଇ ଥାନା କେସ ନଂ ୧୭୭/୨୧ ରେ ଏକ ମାମଲା ରୁଜୁ ହୋଇଛି ।