ଭୁବନେଶ୍ୱର ଜନପଥକୁ “ଜୟୀ ରାଜଗୁରୁ ଜନପଥ” କରାଯାଉ ବୋଲି ବିରୋଧୀ ଦଳ ନେତାଙ୍କ ଦାବି
ଭୁବନେଶ୍ୱର ଜନପଥକୁ “ଜୟୀ ରାଜଗୁରୁ ଜନପଥ” କରାଯାଉ ବୋଲି ବିରୋଧୀ ଦଳ ନେତାଙ୍କ ଦାବି
admin
Oct 22, 2019 - 10:38
Updated: Oct 22, 2019 - 10:38
ଭୁବନେଶ୍ୱର - ଭୁବନେଶ୍ୱରର ବାଣୀବିହାର ଛକରୁ ରାଜମହଲ ଛକ, ଯାହାକୁ ଏବେ ଜନପଥ ବୋଲି କୁହାଯାଉଛି ତାହାକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଇ “ଜୟୀ ରାଜଗୁରୁ ଜନପଥ” କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଉଠାଇଛନ୍ତି ବିରୋଧୀ ଦଳ ନେତା ।
ଆସନ୍ତା ୨୯ ଅକ୍ଟୋବରରେ ଜୟୀ ରାଜଗୁରୁଙ୍କର ଜୟନ୍ତୀ ପଡୁଛି । ଇଂରେଜମାନେ ଯେଉଁଭଳି ଭାବରେ ଜୟୀ ରାଜଗୁରୁଙ୍କୁ ବରଗଛର ଡାଳରେ ଦୁଇ ଗୋଡକୁ ବାନ୍ଧି ଜିଅନ୍ତା ଫାଡିଦେଲେ ଏପରି ବର୍ବରତାର ହତ୍ୟା ବିଶ୍ୱ ଇତିହାସରେ ବିରଳ । ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା, ଓଡିଶାର ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଜୟୀ ରାଜଗୁରୁଙ୍କର ଲଢେଇ ଏକ ସମ୍ପୃର୍ଣ୍ଣ ଜନ ଆନେ୍ଦାଳନ ଥିଲା । ତାଙ୍କ ଭଳି ଜଣେ ମହାନ ଦେଶଭକ୍ତ, ସାହସୀ, ଯୋଦ୍ଧା, ସଂସ୍କୃତ ପଣ୍ଡିତଙ୍କୁ ଆମେ ଠିକ ଭାବେ ସମ୍ମାନ ଦେଉ ନାହୁଁ । ସ୍କୁଲ, କଲେଜର ପାଠ୍ୟ ପୁସ୍ତକରେ ସେ କେବଳ ଗୋଟିଏ ପୃଷ୍ଠାରେ ସିମିତ ହୋଇଯାଇଛନ୍ତି । ଓଡିଶା ବାହାରେ ତାଙ୍କ ବିଷୟରେ ଲୋକମାନେ ବହୁତ ବେଶି ଜାଣିନାହାନ୍ତି । ସମୟ ଆସିଛି ତାଙ୍କୁ ଉଚିତ ସମ୍ମାନ ଦେବାର । ଦେଶ ମାତୃକାରେ ସେବାରେ ସମର୍ପିତ ତାଙ୍କ ଜିବନ ବିଷୟରେ ଗବେଷଣା କରିବାର । ଜୟୀ ରାଜଗୁରୁଙ୍କ ବିରତ୍ୱର କାହାଣି ସାରା ଦୁନିଆକୁ ଜଣାଇବାର । ରାଜଧାନୀକୁ ରାଜ୍ୟ ବାହାରୁ ଅନେକ ଲୋକ ବିଭିନ୍ନ ସମୟରେ ଆସନ୍ତି । ଜୟୀ ରାଜଗୁରୁଙ୍କ ନାମରେ ରାଜଧାନୀରେ ଏକ ମୁଖ୍ୟ ରାସ୍ତାକୁ ନାମିତ କଲେ ରାଜ୍ୟ ବାହାର ଲୋକମାନେ ଯେଉଁମାନେ ଓଡିଶାକୁ ଆସୁଛନ୍ତି ସେମାନେ ସେହି ମହାନ ଯୋଦ୍ଧାଙ୍କ ବିଷୟରେ ଜାଣନ୍ତେ ବୋଲି ଶ୍ରୀ ନାଏକ କହିଛନ୍ତି ।
ଶ୍ରୀ ନାଏକ କହିଛନ୍ତି ଯେ ସେହିପରି ଓଡିଶାର କୌଣସି ବଡ ଶିକ୍ଷାନୁଷ୍ଠାନକୁ ତାଙ୍କ ନାମରେ ନାମିତ କରାଯାଉ । ସ୍କୁଲ, କଲେଜ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ସ୍ତରରେ ଜୟୀ ରାଜଗୁରୁଙ୍କର ବିଷୟରେ ବ୍ୟାପକ ଭାବରେ ପଢାଯାଉ । ପୁଜ୍ୟ ପୁଜାର ସମ୍ମାନ ସବୁବେଳେ ଆମର ପ୍ରାଥମିକତାରେ ରହିବା ଦରକାର ।