ଟ୍ରେନ୍ ଦୁର୍ଘଟଣା, ଲାଇନ୍ଚ୍ୟୁତ ହେଲା ୩ ବଗି
ମୁମ୍ବାଇ: ଲୋକାଲ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାର ସମ୍ମୁଖୀନ ହୋଇଛି ମୁମ୍ବାଇ ଲୋକାଲ୍ ଟ୍ରେନ୍। ଆଜି ସକାଳେ ଟ୍ରେନ୍ ବେଲାପୁରରୁ ଖାରକୋପର ଯାଉଥିବା ବେଳେ ଏହାର ୩ ବଗି ଲାଇନ୍ଚ୍ୟୁତ୍ ହୋଇଯାଇଥିଲା। ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ମୁମ୍ବାଇ ଲୋକାଲ୍ ଟ୍ରେନ୍ ମଙ୍ଗଳବାର ସକାଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ମଧ୍ୟ ରେଲେଓ୍ଵର ଉରଣ ଲାଇନ୍ରେ ବେଲାପୁରରୁ ଖାରକୋପର ଯାଉଥିବା ମୁମ୍ବାଇ ଲୋକାଲ୍ ଟ୍ରେନ୍ର ୩ ବଗି ଲାଇନ୍ଚ୍ୟୁତ ହୋଇଛି। ଘଟଣା ସକାଳ ୮ଟା ୪୬ ମିନିଟ୍ରେ ଘଟିଛି। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ପ୍ରାରମ୍ଭିକ ସୂଚନା ମୁତାବକ, ଖାର୍କୋପର ଷ୍ଟେସନଠାରୁ କିଛି ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ବେଲାପୁରରୁ ଖାରକୋପର ଲୋକାଲ୍ ଟ୍ରେନ୍ର ୩ ଡବା ଖାରକୋପର ଷ୍ଟେସନରେ ପ୍ରବେଶ କରିବା କ୍ଷଣି ହିଁ ରେଳଧାରଣାରୁ ବିଚ୍ୟୁତ ହୋଇଯାଇଥିଲା। ଦୁର୍ଘଟଣା ଯୋଗୁ ରେଳଧାରଣାର ଏକ ଅଂଶ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମଧ୍ୟ ରେଲେଓ୍ଵର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୂତାର କହିଛନ୍ତି, ଉଦ୍ଧାରକାରୀ ଟ୍ରେନ୍ଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦୁର୍ଘଟଣା ପରେ ବେଲାପୁର-ଖାରକୋପର-ନେରୁଲ ଲାଇନ୍ରେ ରେଳ ଚଳାଚଳ ସାମୟିକ ଭାବେ ବନ୍ଦ ରଖାଯାଇଛି।
ଯଦିଓ ହାର୍ବର ଲାଇନ୍ର ଲୋକାଲ୍ ଟ୍ରେନ୍ଗୁଡ଼ିକ ନିଜର ନିର୍ଦ୍ଧାରିତ ସମୟ ଅନୁସାରେ ଚାଲୁଛନ୍ତି। ରେଲେଓ୍ଵ ଅଧିକାରୀ କହିଛନ୍ତି, ମଧ୍ୟ ରେଲେଓ୍ଵର ହାର୍ବର, ମେନ୍ ଲାଇନ୍ ସହ ଅନ୍ୟାନ୍ୟ ରୁଟ୍ରେ ଯାତାୟାତ ସୂଚାରୁ ରୂପେ ଚାଲିଛି।
ତେବେ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀମାନଙ୍କ କହିବା ହେଲା, ରେଳଧାରଣାକୁ ବହୁତ କ୍ଷତି ପହଞ୍ଚିଛି। ଧାରଣାକୁ ପୁଣିଥରେ ବିଛାଇବାକୁ ପଡ଼ିପାରେ। ଏଥିପାଇଁ ମରାମତି କାମ ଲମ୍ବା ସମୟ ଧରି ଚାଲିପାରେ। ସେପଟେ ସିଡ୍କୋର ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି।




admin 