ଜୟନ୍ତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ନବୀନ
ଜୟନ୍ତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର: ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଜୟନ୍ତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଟୁଇଟ୍ କରିଛନ୍ତି ଯେ, ଜୟନ୍ତୀଙ୍କର ବିୟୋଗ ସମାଜସେବା ଓ ରାଜନୀତିରେ ଜଣେ ବିଶିଷ୍ଟ ନାରୀନେତ୍ରୀଙ୍କ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ଜୟନ୍ତୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ସାରସ୍ୱତ ଜଗତ ତଥା ଜନଜୀବନକୁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ଟୁଇଟ୍ କରିଛନ୍ତି ରାଜ୍ୟପାଳ ।
ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ଗତକାଲି ପରଲୋକ ହୋଇଥିବା ବେଳେ ଆଜି ହେବ ଶେଷକୃତ୍ୟ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ କରାଯିବାର କାର୍ୟ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ୪ ଥର ସାଂସଦ ଥିଲେ । ଏଥିସହ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଥିଲେ ଜୟନ୍ତୀ ।




admin 