ଜୟଦେବ ପୁରସ୍କାର ରାଶି ୨ ଲକ୍ଷକୁ ବୃଦ୍ଧି

ଜୟଦେବ ପୁରସ୍କାର ରାଶି ୨ ଲକ୍ଷକୁ ବୃଦ୍ଧି

ଜୟଦେବ ପୁରସ୍କାର ରାଶି ୨ ଲକ୍ଷକୁ ବୃଦ୍ଧି
ଭୁବନେଶ୍ୱର: ଚଳଚ୍ଚିତ୍ର ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ରାଶି ୨ ଲକ୍ଷକୁ ବୃଦ୍ଧି ପାଇଛି । ପୂର୍ବରୁ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ ଏହାକୁ ବୃଦ୍ଧି କରାଯାଇଛି । ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରଦତ୍ତ ଅତିବଡ଼ୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରଦତ୍ତ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ଓଡ଼ିଶା ଲିତ କଳା ଏକାଡେମୀ ପ୍ରଦତ୍ତ ଧର୍ମପଦ ପୁରସ୍କାର ରାଶି ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପାଇଥିଲା । ଏହା ବ୍ୟତୀତ ଏକାଡେମୀ ପୁରସ୍କାର ରାଶି ମଧ୍ୟ ବୃଦ୍ଧି ପାଇଥିଲା । ଏକାଡେମୀର ସର୍ବୋଚ୍ଚ ସମ୍ମାନ ରାଶି ବୃଦ୍ଧି ପାଇବା ପରେ ଜୟଦେବ ପୁରସ୍କାର ରାଶି ବୃଦ୍ଧି ପାଈଁ କିଛି ସାଂସ୍କୃତିକ ସଂଗଠନ ସ୍ୱର ଉଠାଇଥିଲେ । ସଂସ୍କୃତି ବିଭାଗ ନିକଟରେ ଏ ନେଇ ଦାବି କରାଯିବା ପରେ ଏ ସମ୍ପର୍କରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଯଦିଓ ୩ ଏକାଡେମୀ ସର୍ବୋଚ୍ଚ ପୁରସ୍କାର ବ୍ୟତୀତ ଅନ୍ୟ ପୁରସ୍କାର ରଶି ମଧ୍ୟ ୫୦ ହଜାରରୁ ବଢ଼ି ୨ ଲକ୍ଷ ହୋଇଛି କିନ୍ତୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଅନ୍ୟ ବିଭାଗ ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି ପାଇନାହିଁ । ୩ ଏକାଡେମୀ ପୁରସ୍କାର ରାଶି ବୃଦ୍ଧି ପାଇବା ପରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ରାଶି ବୃଦ୍ଧି ନିମନ୍ତେ ଓଡ଼ିଶା ସିନେ କି୍ରଟିକ ଆସୋସିଏସନ ପକ୍ଷରୁ ଦାବି କରାଯାଇଥିଲା । ପୁରସ୍କାର ରାଶି ୧ ଲକ୍ଷରୁ ବୃଦ୍ଧି ପାଇ ୨ ଲକ୍ଷ ହେବା ପରେ ଆସୋସିଏସନ ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦ୍ୱିଲୀପ ହାଲି ସ୍ୱାଗତ କରିଛନ୍ତି ।