ଜୁଲାଇ ୧୨ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ଜୁଲାଇ ୧୨ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ଜୁଲାଇ ୧୨ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
ପୁରୀ: ଚଳିତ ବର୍ଷର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପର୍ବପର୍ବାଣୀ ଓ ଯାନିଯାତ୍ରା ଦିନ ଧାର୍ୟ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ । ତିଥି ଅନୁସାରେ ଜୁଲାଇ ମାସ ୧୨ ତାରିଖ ସୋମବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ୨୦ ତାରିଖ ମଙ୍ଗଳବାର ଠାକୁରଙ୍କ ବାହୁଡ଼ା ଯାତ୍ରା ଓ ବୁଧବାର ରଥ ଉପରେ ଦାରୁଦିଅଁଙ୍କ ସୁନା ବେଶ ଅନୁଷ୍ଠିତ ହେବ । ମେ ମାସ ୧୫ ତାରିଖ ଶନିବାର ଅକ୍ଷୟତୃତୀୟାରେ ରଥ ନିର୍ମାଣ ଅନୁକୂଳ ସହ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ । ପାଞ୍ଜିରେ ସମାନତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଜୁଲାଇ ମାସ ୯ ଶୁକ୍ରବାର ଠାକୁରଙ୍କ ନବଯୌବନ ଦର୍ଶନ ତଥା ନେତ୍ରୋତ୍ସବ, ୨୩ତାରିଖ ଶୁକ୍ରବାର ନୀଳାଦ୍ରି ବିଜେ ପର୍ବ ଅନୁଷ୍ଠିତ ହେବ । ଅଗଷ୍ଟ ମାସ ୧୭ ମଙ୍ଗଳବାର ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହେବ । ସେହି ମାସ ୨୨ ତାରିଖ ରବିବାର ବଳଭଦ୍ର ଜନ୍ମ ଓ ଠାକୁରଙ୍କୁ ରାକ୍ଷୀ ଲାଗି, ୩୦ତାରିଖ ସୋମବାର ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୯ତାରିଖ ଗୁରୁବାର ବାଲି ତୃତୀୟା ଓ ୧୦ ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ଗଣେଷ ଚତୁର୍ଥୀ ତଥା ଗଜାନନ ପୂଜା, ୧୪ରେ ରାଧାଷ୍ଟମୀ, ୨୯ ତାରିଖ ବୁଧବାର ଷୋଡ଼ଶଦିନାତ୍ମକ ଶାରଦୀୟ ପୂଜାରମ୍ଭ ହେବ । ଅକ୍ଟୋବର ୧୧ତାରିଖ ସୋମବାର ମହାସପ୍ତମୀ ପୂଜା, ୧୫ ତାରିଖ ଶ୍ରୀମନ୍ଦିରରେ ଦଶହରା ପୂଜା ହୋଇ ୧୬ରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ଆରମ୍ଭ, ୨୦ ତାରିଖ ବୁଧବାର କୁମାରପୂର୍ଣ୍ଣମୀ ଅନୁଷ୍ଠିତ ହେବ । ନଭେମ୍ବର ମାସ ୪ ଗୁରୁବାର ଦୀପାବଳୀ ଅମାବାସ୍ୟା, ୧୫ ତାରିଖ ଲକ୍ଷ୍ମୀନାରାୟଣ ବେଶ ସହ ପଞ୍ଚୁକ ବ୍ରତ ଆରମ୍ଭ, ୧୯ କାର୍ତ୍ତିକ ପୂର୍ଣ୍ଣମୀ ଶୁକ୍ରବାର ତଥା ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଡ଼ିସେମ୍ବର ୩ତାରିଖ ଶୁକ୍ରବାର ଦେବଦୀପାବଳି ଆରମ୍ଭ ହେଉଥିବା ତାଲିକାରେ ପ୍ରକାଶିତ ହୋଇଛି ।