ଜିଲ୍ଲା ପରିଷଦ ଗଠନ କରିବା ସ୍ଥିତିରେ ନାହିଁ ବିଜେପି!
ଜିଲ୍ଲା ପରିଷଦ ଗଠନ କରିବା ସ୍ଥିତିରେ ନାହିଁ ବିଜେପି!
ଭୁବନେଶ୍ୱର: ଗତକାଲିର ପଂଚାୟତ ନିର୍ବାଚନର ଫଳାଫଳ ବିଜେପିକୁ ହତାଶ କରିଛି। ମିଳିଥିବା ଫଳାଫଳରେ ବିଜେପି ତିନି ନମ୍ବର ସ୍ଥାନକୁ ଖସି ଯାଇଛି। ଦ୍ବିତୀୟ ନମ୍ବର ସ୍ଥାନରେ କଂଗ୍ରେସ ରହିଛି। ଆଜିର ଫଳାଫଳରେ ଯଦି ସେମିତି କିଛି ଚମତ୍କାର ନହୁଏ ତେବେ ବିଜେପି ଓଡ଼ିଶାରେ କୌଣସି ବି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିପାରିବ ନାହିଁ। ତେବେ ଶନିବାରର ଫଳାଫଳ ଅନୁଯାୟୀ ବିଜେପି କୌଣସି ବି ସ୍ଥାନରେ ଜିଲ୍ଲା ପରିଷଦ ଗଠନ କରିବା ସ୍ଥିତିରେ ନାହିଁ।
ଅନ୍ୟପକ୍ଷରେ ପ୍ରଥମ ଦିନର ଭୋଟଗଣତି ଫଳାଫଳର ଟ୍ରେଣ୍ଡରୁ ହିଁ ବିଜେପି ଓ କଂଗ୍ରେସ ରାଜ୍ୟର ଗ୍ରାମାଂଚଳରେ ନିଜର ସତ୍ତା ହରାଇଥିବା ଏବଂ ବିଜେଡି ରାଜ୍ୟର ସମସ୍ତ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଆସନ ସହ ୮୦ ପ୍ରତିଶତରୁ ଅଧିକ ହାତେଇବାକୁ ଯାଉଥିବା ଏକରକମ ସ୍ପଷ୍ଟ ହୋଇଯାଇଛି। ତେବେ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନକୁ ଜୋରଦାର ଢଙ୍ଗରେ ଲଢ଼ିଥିବା ବିଜେପି ଚଳିତ ପଂଚାୟତ ନିର୍ବାଚନକୁ କାହିଁକି ସେଭଳି ନଲଢ଼ି ନିଜ ଗୋଡ଼ରେ କୁରାଢ଼ୀ ମାରିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା ।
ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ହୋଇଥିବା ଗଣତିର ପ୍ରାରମ୍ଭିକ ଫଳାଫଳ ଅନୁସାରେ ବିଜେଡି ୨୮୨ଟି, ବିଜେପି ୧୨ଟି, କଂଗ୍ରେସ ୧୬ଟି, ସ୍ୱାଧୀନ ୨ଟି ଓ ଅନ୍ୟାନ୍ୟ ୨ଟି ଆସନରେ ଆଗରେ ରହିଛନ୍ତି । ୨୩ଟି ଜିଲ୍ଲାରେ କଂଗ୍ରେସ ଓ ୧୮ଟି ଜିଲ୍ଲାରେ ବିଜେପି ସମ୍ପୂର୍ଣ୍ଣ ମୂଳପୋଛ ହୋଇଥିବାବେଳେ ସମସ୍ତ ଜିଲ୍ଲାରେ ବିଜେଡିର ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ବିଜେଡିକୁ ଟକ୍କର ଦେବା ତ ଦୂରର କଥା ଉଭୟ ବିଜେପି ଓ କଂଗ୍ରେସ ତା’ର ପାଖ ମାଡ଼ିବାକୁ ବି ସକ୍ଷମ ହୋଇପାରିନଥିବା ଜିଲ୍ଲ୍ଲା ପରିଷଦ ସଭ୍ୟ ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଆଉ ୨ଦିନର ଗଣତିରେ ଯେ ସେଭଳି କିଛି ଗୋଟେ ‘ଚମତ୍କାର’ ହେବ ଓ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବାଜିମାତ୍ କରିବେ ତାହା ବି ଜଣାପଡ଼ୁନି । ବରଂ ନିଜର ଗଡ଼କୁ ବି ଏହି ଦୁଇ ଦଳ ବିଜେପି ଓ କଂଗ୍ରେସ ବଂଚାଇବାକୁ ଅସମର୍ଥ ହୋଇଛନ୍ତି ।
୨୦୧୭ ପଂଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେପି ୪୭୬ଟି, କଂଗ୍ରେସ ୬୦ଟି ଓ ବିଜେଡି ୪୮୦ଟି ସିଟ୍ ହାତେଇଥିଲା । ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେପି ୮ଟି ଜିଲ୍ଲାରେ ଓ କଂଗ୍ରେସ ୨ଟି ଜିଲ୍ଲାରେ ଅଧ୍ୟକ୍ଷ ଓ ପରିଷଦ ଗଢ଼ିଥିବାବେଳେ ଶାସକ ବିଜେଡି ମାତ୍ର ୨୦ଟି ଜିଲ୍ଲା ମଧ୍ୟରେ ନିଜକୁ ସୀମିତ ରଖିପାରିଥିଲା । ଗ୍ରାମାଂଚଳରେ ବିଜେପି ଓ କଂଗ୍ରେସର ଏଭଳି ଶୋଚନୀୟ ପରାଜୟକୁ ନେଇ ଦୁଇ ଦଳ ଯଦିଓ ବିଜେଡି ସରକାରର ଶାସନ କଳକୁ ଦାୟୀ କରୁଛନ୍ତି ତଥାପି ନିର୍ବାଚନୀ ଫଳାଫଳ ବିଜେଡି ପାଇଁ ସବୁ ଦୃଷ୍ଟିରୁ ଉତ୍ସାହଜନକ ରହିଛି ।




admin 