ଜାତୀୟ କନ୍ୟା ଦିବସ

ଜାତୀୟ କନ୍ୟା ଦିବସ

ଜାତୀୟ କନ୍ୟା ଦିବସ
ଆମକୁ ମା’ ଲୋଡା, ସ୍ତ୍ରୀ ଲୋଡା, ଭଉଣୀ ଲୋଡା କିନ୍ତୁ ଝିଅ ନୁହେଁ । ସମାଜରେ ଏଭଳି ରୁଗ୍ଣ ମାନସିକତା କାହିଁକି । ସମାଜର ମାନସିକତା ଏପରି ଯେ, ଏବେ ବି କନ୍ୟା ସନ୍ତାନ କଥା ଉଠିଲେ ଅନେକ ଲୋକ ମୁହଁ ମୋଡି ଦିଅନ୍ତି । ହେଲେ ଏମିତି କାହିଁକି ? ଆଜି ଆମ ସମାଜ ପ୍ରତି ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବର୍ତମାନ ସମୟରେ ପୁଅମାନଙ୍କ ତୁଳନାରେ ଝିଅମାନେ କିଛି କମ୍ ନୁହନ୍ତି । ଝିଅମାନେ ମଧ୍ୟ ପୁଅଙ୍କ ଠାରୁ ଗୋଟେ ପାଦେ ଆଗକୁ ପଳେଇଲେଣି । ତଥାପି ସମାଜରେ ଝିଅ ଅଣଦେଖା ଓ ଅଲେଡା ହୋଇ ରହିଛି । ଦେଶରେ କନ୍ୟା ସନ୍ତାନ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଜନ୍ମ ପୂର୍ବରୁ ହତ୍ୟା, ପରେ ଫିଙ୍ଗିଦେବା ସହିତ ଝିଅମାନେ ସାମ୍ନା କରୁଥିବା ଅସମାନତା ଦୂର କରିବା, ସେମାନଙ୍କ ଅଧିକାର ବିଷୟ ସାଧାରଣରେ ଉଠାଇ ସଚେତନ କରାଇବା, ଶିକ୍ଷାର ଗୁରୁତ୍ୱ, ସ୍ୱାସ୍ଥ୍ୟ ଓ ପୋଷଣ ଆଦି ବିଷୟ ସଚେତନ ଓ ଆଲୋଚନା କରିବା ପାଇଁ ସମଗ୍ର ଭାରତରେ ପ୍ରତି ବର୍ଷ ଜାନୁଆର ୨୪ରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଏ । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ୨୦୦୮ରେ ପ୍ରଥମେ ଏହି ଦିବସ ପାଳିତ ହୋଇଥିଲା । କିଛି ସ୍ଥାନରେ ଶିକ୍ଷା, ଆଇନଗତ ଅଧିକାର, ସମ୍ମାନରୁ ଝିଅମାନେ ବଂଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଧନଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଇଛି ।