ଶରଶଯ୍ୟାରେ ଓଡ଼ିଆ ସିନେମା ...
ଶରଶଯ୍ୟାରେ ଓଡ଼ିଆ ସିନେମା ...
admin
Jan 24, 2020 - 08:42
Updated: Jan 24, 2020 - 08:42
ଦୀର୍ଘ ବର୍ଷ ସିନେମା କଲା ଭିତରେ ଏତେ ଗୁଡ଼ାଏ ବୟସ ଚାଲିଗଲାଣି ମୁଁ ଜାଣିନାହିଁ । ସେ ଭିତରେ ମୁଁ କୁଆଡେ଼ ଭୀଷ୍ମ ହୋଇସାରିଲାଣି ତାହା ବି ଜାଣିନାହିଁ । କିନ୍ତୁ ମୁଁ ଭୀଷ୍ମ ନୁହେଁ ବରଂ ଭୀଷ୍ମ ଯେମିତି ଶର ଶଯ୍ୟାରେ ପଡ଼ିଥିଲେ ମୁଁ ଠିକ୍ ସେମିତି ଶରଶଯ୍ୟାରେ ପଡ଼ି ୧୫ ବର୍ଷ ହେଲା ଦେଖିଆସୁଛି କେମିତି ଓଡ଼ିଆ ସିନେମା ଆସ୍ତେ ଆସ୍ତେ ତଳକୁ ତଳକୁ ଯାଉଛି । ନିକଟରେ ଏକ ନାଟକ ଉତ୍ସବରେ ଯୋଗ ଦେଇ ଅତି କ୍ଷୋଭର ସହ ଅଙ୍ଗେନିଭା କଥାକୁ ବଖାଣିଛନ୍ତି ବରିଷ୍ଠ ଅଭିନେତା, ପ୍ରଯୋଜକ, ନିଦେ୍ର୍ଧଶକ ଲେଖକ ତଥା ସାଂସଦ ପ୍ରଶାନ୍ତ ନନ୍ଦ । ଆଜି ଲୋକେ ପଚାରୁଛନ୍ତି ଭାଇନା ଆଉ କଣ ‘ଶେଷ ଶ୍ରାବଣ’ ହେବନି । ଯଦି ତମେ ନ କରିବ, ତେବେ ଆମକୁ ତାର ବାଟ କଣ ବତାଅ । ଇଣ୍ଡଷ୍ଟ୍ରୀ କେମିତି ବଢ଼ିବ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ମାଟି, ପାଣି ପବନକୁ ନେଇ ସିନେମା ହେଉଥିଲା ଆଉ ଲୋକେ ଦେଖୁଥିଲେ ଏବେ ସେତକ ଗଲାଣି । ଦର୍ଶକ ମୁହଁ ଫେରାଇନେଲେଣି । ସେମାନଙ୍କ ପାଖରେ ୩ଟି ରାସ୍ତା । ଘରେ ବସିଲେ ବହୁତ ସୁବିଧାରେ ଧାରାବାହିକ ଦେଖିଲେ, ଯାହା କିଛି ଓଡ଼ିଆ କଥାକୁ ନେଇ ଚାଲିଛି ।ଆଗରୁ ଯାତ୍ରା ଯାଉଥିଲେ କିନ୍ତୁ ସେଠି ଅନିଦ୍ରା ହୋଇ ଏତେ ସମୟ କିଏ ଦେଖିବ । ତଥାପି ଯାଉଛନ୍ତି । ଶେଷରେ ମଞ୍ଚ ନାଟକ ମୁହାଁ ହୋଇଛନ୍ତି । କିନ୍ତୁ ଦୁର୍ଭାଗ୍ୟ ଆମେ ଆଜି ପର୍ଯ୍ୟନ୍ତ ମଞ୍ଚ ନାଟକରେ ଟିକେଟ କଲେ ନାହିଁ କି ଦର୍ଶକଙ୍କୁ ଟିକେଟ କାଟି ମଞ୍ଚ ନାଟକକୁ ଉପଭୋଗ କରିବାର ଅଭ୍ୟାସ କରାଇପାରିଲେ ନାହିଁ । ଏଠି ଦୈନିକ ନାଟକ ହେଉଥିଲା । ସ୍ଥିତି ଏମିତି ହେଲା ତାଲା ପଡ଼ିଗଲା । ଥରେ ଗୋପାଳ ଛୋଟରାୟ ରଙ୍ଗମଞ୍ଚକୁ ଦେଖିବାକୁ ଯାଇ କାନ୍ଦି ପକାଇଥିଲି । ମୁଁ ବି ଯାଇଥିଲି । ଏଇଥିପାଇଁ ଯାଇଥିଲି ମୋ ପରିବାରର କଳେବର ବୃଦ୍ଧି କରିବାକୁ । କିଛି ଅଭିନେତା, ଅଭିନେତ୍ରୀଙ୍କୁ ସିନେମାକୁ ଆଣିବାକୁ । ସେଠାରେ ପହଞ୍ଚି ଯାହା ଦେଖିଲି ମୋ ଆଖିରୁ ଲୁହ ବୋହି ଆସିଲା । ଛୋଟ ଛୋଟ ଚାଳି ବଖରାରେ ରହୁଥିବା ଅଭିନେତା, ଅଭିନେତ୍ରୀମାନେ ଖାଇବା ପାଇଁ ଚୁଲିରେ ଭାତ ବସାଉଛନ୍ତି କିନ୍ତୁ ତା ପରେ ଆଉ କଣ କରିବେ ତା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ମୋତେ ଦେଖି ସେମାନେ ଦୌଡ଼ି ଆସିଲେ । ମୋତେ ଧରି କାନ୍ଦିଲେ ଆଉ ମୋ ଠୁ ପୁଳେ ଲୁହ ନେଲେ । ବହୁତ ପ୍ରତିଭା ସେଠାରେ ଆସିଛନ୍ତି, ଦୁଃଖିରାମ ସ୍ୱାଇଁଙ୍କ ଠାରୁ ଆରମ୍ଭ କରି ରାମ ପ୍ରତିହାରୀ, ବ୍ୟୋମକେଶ ତି୍ରପାଠୀଙ୍କ ପର୍ଯ୍ୟନ୍ତ । ହେଲେ ଆଜି ମଞ୍ଚର କି ଅବସ୍ଥା । ତେଣୁ ଏବେଠୁ ସଚେତନ ହେବା, ଆମ ସିନେମା, ଆମ ନାଟକକୁ ଆମେ ବଞ୍ଚାଇବା । ତାକୁ ଭଲପାଇବା ଦେଇ ଉନ୍ନତିପଥେ ଆଗେଇ ନେବା ।